କୋଶଳର ଇତିହାସ କଥା ଦ୍ୱିତୀୟ ଭାଗ

 

 

 

 

 

 

 

 

 

କୋଶଳର ଇତିହାସ କଥା

(ଦ୍ୱିତୀୟ ଭାଗ)

ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ

 

ସୂଚୀପତ୍ର

 

ପାଟଣା ରାଜ୍ୟ

ରମେଇଦେଓଙ୍କ ଜନ୍ମ

ରମେଇଙ୍କ ପିଲାଦିନ

ରମେଇ କିପରି ରାଜା ହେଲେ

ରମେଇଙ୍କ ଜଗନ୍ନାଥ ଦର୍ଶନ

ବସ୍ତର ଯୁଦ୍ଧ

ପାଟଣାଗଡ଼

୨ୟ ବୈଜଳ ଦେଓ

ଚୈତନ୍ୟ ଦାସ

୧୦

ନୃସିଂହନାଥ ଓ ହରିଶଙ୍କର

୧୧

ବଳରାମ ଦେଓ

୧୨

ବଳୀୟାର ସିଂହ

୧୩

ଦେଓ୍ୟାନ ଅକ୍‌ବର ରାଏ

୧୪

ଗଙ୍ଗାଧର ମିଶ୍ର

୧୫

ସୋନପୁର

୧୬

ମଦନ ଗୋପାଳ ଓ ବଂଶୀଗୋପାଳ

୧୭

ରାଣୀ ଗୁଣ୍ଡିଚା ଦେଈ

୧୮

ଭୀମ ଭୋଇ

୧୯

ବିନିକା

୨୦

ପ୍ରତାପ ଦେଓ

୨୧

ଚମ୍ପା ତଲୀଏନ

୨୨

ଶ୍ରୀ ରାମଚନ୍ଦ୍ର ମଲ୍ଲିକ

୨୩

ମହାରାଜା ଦଳଗଞ୍ଜନ ସିଂହଦେଓ

୨୪

ପ୍ରହ୍ଲାଦ ଦୁବେ

୨୫

ବଲାଙ୍ଗିର

୨୬

ପୃଥ୍ୱୀରାଜ ଦେଓ

୨୭

କବି ଗଙ୍ଗାଧର ମେହର

୨୮

ମହାରାଜା ରାଜେନ୍ଦ୍ରନାରାୟଣ ସିଂହ ଦେଓ

Image

 

କୋଶଳର ଇତିହାସ କଥା

ପାଟଣା ରାଜ୍ୟ

 

ଆଜିକାଲି ପାଟଣା ରାଜ୍ୟ ବୋଲି ଆମେ ଯାହାକୁ କହୁଁ, ତା’ର ଉତ୍ତରରେ ଅଙ୍ଗନଦୀ ଆଉ ଦକ୍ଷିଣରେ ତେଲ ନଦୀ ଅଛି । ଏ ରାଜ୍ୟର ପୂର୍ବରେ ସୋନପୁର ଆଉ ବଉଦ ରାଜ୍ୟ ଓ ପଶ୍ଚିମରେ ଖଡ଼ିଆଳ ଜମିଦାରୀ ଅଛି ।

 

କିନ୍ତୁ ପୂର୍ବେ ଏ ରାଜ୍ୟର ବହୁତ ବଡ଼ ରାଜ୍ୟକୁ ପାଟଣା କହୁଥିଲେ । ସମ୍ବଲପୁର ଜିଲା, ସୋନପୁର ଷ୍ଟେଟ୍‌, ଖଡ଼ିଆଳ ଆଉ ବେନ୍ଦ୍ରା ନୂଆଗଡ଼ ଜମିଦାରୀ ଦିନେ ସେ ପାଟଣାର ଆଗଲପୁର, ବଙ୍ଗୋମୁଣ୍ଡାପରି ଅଂଶ ଥିଲେ ।

 

ଏହା ବାହାରେ ଓଡ଼ିଶା, ମଧ୍ୟପ୍ରଦେଶ, ଛୋଟ ନାଗପୁରର ଅନେକ ରାଜ୍ୟ ଦିନେ ପାଟଣାର ଅଧୀନ ରାଜ୍ୟ ଥିଲେ । ଆଉ ଏହାର ସାମନ୍ତ ରାଜାମାନେ ସେ ସବୁ ରାଜ୍ୟରେ ରାଜତ୍ୱ କରୁଥିଲେ ।

 

ପ୍ରାୟ ଚାରିଶଅ ବର୍ଷ ପୂର୍ବେ ପାଟଣାର ନରସିଂହ ଦେଓ ବୋଲି ଜଣେ ରାଜା ତାଙ୍କ ଭାଇ ବଳରାମ ଦେଓଙ୍କ ସମ୍ବଲପୁର ଅଞ୍ଚଳ ଦେଇଥିଲେ ।

 

ପ୍ରାୟ ତାହାର ଶହେ ବର୍ଷ ପୂର୍ବ ସମୟ ପର୍ଯ୍ୟନ୍ତ ବୁଢ଼ାସମ୍ବର, ଖଡ଼ିଆଳ ବେନ୍ଦ୍ରା ନୂଆଗଡ଼ ଆଦି ଜମିଦାରୀ ଆଉ ତରଭାଠାରୁ ସୋନପୁର ପର୍ଯ୍ୟନ୍ତ ରାଜ୍ୟକୁ ଲୋକେ ପାଟଣା ବୋଲି କହୁଥିଲେ । ଇଂରେଜମାନେ ଆସିଲାବେଳେ ନୂଆ ଶାସନର ନିୟମ ସବୁ ଠିକ୍‌ହୋଇ ନ ଥିବାରୁ ଏ ସବୁ ଅଂଶ ଭିନ୍ନ ନାମରେ ପରିଚିତ ହେଲା ।

Image

 

ରମେଇ ଦେଓଙ୍କ ଜନ୍ମ

 

ଭାରତର ଶେଷ ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ତିରୋରୀ ଯୁଦ୍ଧରେ ମହମ୍ମଦ ଘୋରୀଙ୍କଦ୍ୱାରା ପରାସ୍ତ ହେଲେ । ତାଙ୍କ ପୁଅ ହମୀର ଦେଓ ବଂଶରକ୍ଷା ପାଇଁ କୁଟୁମ୍ବ ନେଇ ଦକ୍ଷିଣକୁ ପଳାଇ ଆସିଲେ । ସେ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ହମୀର ଗଡ଼ ବୋଲି ଗୋଟିଏ ଗଡ଼ ତିଆରି କରି ତହିଁରେ ନିଜ କୁଟୁମ୍ବ ରଖିଥିଲେ । ତା’ପରେ ପୁଣି ସୈନ୍ୟସଂଗ୍ରହ କରି ଦିଲ୍ଲୀ ଆଡ଼କୁ ଯୁଦ୍ଧ କରିବାକୁ ଗଲେ ।

 

ଯୁଦ୍ଧକୁ ଗଲାବେଳେ ସେ କେତେ ପାରା ସଙ୍ଗରେ ନେଇଥିଲେ । ରାଣୀମାନଙ୍କୁ କହିଥିଲେ ଯେ ଏ ପାରା ତାଙ୍କ ମନକୁ ଫେରିଆସିଲେ ଜାଣିବ ଯେ ମୁଁ ଯୁଦ୍ଧରେ ହାଣ ଖାଇଛି । କେତେ ଦିନ ଗଲାପରେ ଦିନେ ହମୀର ଦେଓ ବିଶ୍ରାମ କରୁଥିଲେ । ସେ ଜଣେ ଲୋକକୁ ପାରାମାନଙ୍କୁ ଗାଧେଇ ଦେବା ପାଇଁ କହିଲେ । ଗାଧଉଥିଲାବେଳେ ପାରାମାନେ ଛାଡ଼ି ହୋଇଗଲେ । ସେମାନେ ଉଡ଼ି ଆସି ହମୀର ଗଡ଼ରେ ପହୁଞ୍ଚିଲେ ।

 

ହମୀର ଦେଓଙ୍କ ସାତୋଟି ରାଣୀ ଥିଲେ । ରାଣୀମାନେ ପାରାମାନଙ୍କୁ ଦେଖି ଅନେକ କାନ୍ଦିଲେ । ଆଉ ସତୀ ମୃତ୍ୟୁ ପାଇଁ ଚିତା ତିଆରି କଲେ । ସବା ସାନ ରାଣୀଙ୍କର ନାଁ ଜୟନ୍ତୀ । ସେ ଗର୍ଭବତୀ ହୋଇଥିବା କଥା ଜାଣି ଅନ୍ୟ ରାଣୀମାନେ ବଂଶରକ୍ଷା ପାଇଁ ତାଙ୍କୁ ବଞ୍ଚି ରହିବାକୁ କହି ଚିତାରେ ଝାସ ଦେଲେ । ଜୟନ୍ତୀ ରାଣୀ ଶତ୍ରୁ ଆସି ପହୁଞ୍ଚିଯିବ ବୋଲି ଡରି ହାତୀ ଉପରେ ଗୋଟିଏ ଦାସୀ ଆଉ ଗୋଟିଏ ପେଡ଼ି ଧରି ଜଙ୍ଗଲକୁ ପଳେଇ ଗଲେ ।

 

ଦିନେ ସେ ଜଙ୍ଗଲ ଭିତରେ ଖାଇ ବସିଥିଲାବେଳେ ହାତୀ ବେକର ଦଉଡ଼ି ଛିଣ୍ଡାଇ କୁଆଡ଼େ ପଳେଇଗଲା । ଦାସୀ ତାକୁ ଖୋଜିବାକୁ ଯାଇ ଆଉ ଫେରି ପାରିଲା ନାହିଁ । ରାଣୀ ଏକା ଜଙ୍ଗଲ ଭିତରେ ଯାଉଥିଲାବେଳେ ଡକଲା ବୋଲି ଗାଁ ପାଖରେ ପ୍ରସବପୀଡ଼ା ଅନୁଭବ କଲେ । ସେ ପୀଡ଼ା ଅସହ୍ୟ ହେବାରୁ ସେ ଚିତ୍କାର କଲେ । ଡକଲା ଗାଁର ଝାଙ୍କର ଆଉ ଝାଙ୍କରାଣୀ ସେତେବେଳେ ଝାଡ଼କୁ ଯାଇଥିଲେ । ସେହି ଶବ୍ଦ ଶୁଣି ସେମାନେ ପାଖକୁ ଗଲେ ।

 

ଝାଙ୍କରାଣୀ ସାହାଯ୍ୟ ଦେଲା, ଆଉ ଝାଙ୍କର ଦୋଳା ଡାକିବାକୁ ଗଲା । ଝାଙ୍କର ଫେରି ବଡ଼ ସୁନ୍ଦର ପୁଅଟିଏ ହୋଇଥିବା ଦେଖି ତାଙ୍କୁ ନେଇ ଗାଁ ପାଖରେ ଥିବା ବିଞ୍ଝାଳ ଜମିଦାର ଘରେ ଦେଲା ।

 

ବିଞ୍ଝାଳ ଜମିଦାରଙ୍କୁ ରାଣୀ ନିଜେ କ୍ଷତ୍ରିୟ ସ୍ତ୍ରୀ ଥିବାର ପରିଚୟ ଦେଇଥିବାରୁ ସେ ମା ପୁଅଙ୍କୁ ନେଇ ଚକ୍ରଧର ପାଣିଗ୍ରାହୀଙ୍କ ଘରେ ଛାଡ଼ି ଦେଲେ ।

Image

 

ରମେଇଙ୍କ ପିଲାଦିନ

 

ଚକ୍ରଧର ପାଣିଗ୍ରାହୀ ମା ପୁଅଙ୍କୁ ନିଜ ଘରର ଲୋକ ପରି ଯତ୍ନରେ ପାଳନ କଲେ । ଦିନୁଦିନ ରମାଇ ଶୁକ୍ଳପକ୍ଷର ଚନ୍ଦ୍ର ପରି ବଢ଼ିବାକୁ ଲାଗିଲେ । ସେ ଅନେକ ପିଲା ସାଙ୍ଗ କରି ନାନାଦି ଖେଳ ଖେଳିଲେ । ସେ ଅନେକ ସମୟରେ ଗାଈଚରୁଆ ପିଲାଙ୍କ ସାଙ୍ଗରେ ଜଙ୍ଗଲକୁ ଯାଉଥିଲେ ।

 

ଦିନେ ସେ ଜଙ୍ଗଲକୁ ଯାଇଥିଲେ । ଗାଈ-ଚରୁଆ ପିଲାମାନେ ଯେଝା ଗାଈ ପଛରେ କେତେ ଦୂର ଚାଲିଗଲେ । ଥକା ହୋଇ ରମେଇ ଗୋଟିଏ ଗଛମୂଳରେ ଶୋଇ ପଡ଼ିଲେ । କେତେବେଳ ଗଲା ଉତ୍ତାରୁ ଖରା ତାଙ୍କ ମୁହଁ ଉପରେ ପଡ଼ିଲା । ସେତେବେଳେ ଗୋଟିଏ ବଡ଼ ନାଗ ସାପ କେଉଁଠୁ ଆସି ତାଙ୍କ ମୁହଁ ଉପରେ ଫଣା ଟେକି ଛାଇ କରି ରହିଲା ।

 

ଗାଈ-ଚରୁଆ ପିଲାମାନେ ଫେରି ଏ କାଣ୍ଡ ଦେଖି ଦୌଡ଼ି ଦୌଡ଼ି ଆସି ପାଣିଗ୍ରାହୀଙ୍କି ଏ ଖବର ଦେଲେ । ପାଣିଗ୍ରାହୀ ବୁଢ଼ା ସେ ସାପକୁ ଦେଖି ସାପ ରମେଇଙ୍କୁ ମାରି ଦେଲାଣି ବୋଲି ବଡ଼ ପାଟି କଲେ । ସାପ ବୁଢ଼ାକୁ ଦେଖି ଧୀରେ ପଳାଇଗଲା । ବୁଢ଼ା ଯାଇ ଦେଖିଲେ ରମେଇ ଘୋର ନିଦରେ ଶୋଇଛି । ତାଙ୍କୁ ତରତର ହୋଇ ଉଠାଇ ବୁଢ଼ା ଆନନ୍ଦରେ କୁଣ୍ଢାଇ ପକାଇଲେ ।

 

ସେଦିନ ଠାରୁ ରମେଇ ନିଶ୍ଚୟ ଜଣେ ମହାପୁରୁଷ ବୋଲି ଜାଣି ବୁଢ଼ା ତାଙ୍କୁ ବଡ଼ ଯତ୍ନରେ ପାଠଶାଠ ପଢ଼େଇଲେ । କିନ୍ତୁ ରମେଇଙ୍କ ପାଠପଢ଼ାରେ ସେତେ ମନ ନ ଥାଏ । ସେ ସବୁବେଳେ କୁସ୍ତି କସରତ ପରୀ ଓ ଖଣ୍ଡା ଖେଳରେ ମାତି ଥାଆନ୍ତି ।

 

ରମେଇ ଦିନେ ସାଙ୍ଗପିଲାଙ୍କଠାରୁ ଶୁଣିଲେ ଯେ ଦମେଇ ଗଣ୍ଡ ବୋଲି ଜଣେ ବଡ଼ ଯୋଦ୍ଧା ଅଛି । ସେ ଯେଉଁ ଖଣ୍ଡା ଧରି ଯୁଦ୍ଧ କରେ ସେ ଖଣ୍ଡା ହାତରେ ଥିଲେ ଆଉ କେହି ତାକୁ ଲଢ଼େଇରେ ପାରନ୍ତି ନାହିଁ । ରମେଇ ଏହା ଶୁଣି ଦମେଇକୁ ଯାଇ ଭେଟିଲେ । ଦମେଇକୁ ରମେଇ ମାଲ ଯୁଦ୍ଧରେ ହରାଇ ଦେଲେ ଆଉ ତାଠୁଁ ଖଣ୍ଡାଟି ଛଡ଼ାଇ ଆଣିଲେ । ଦମାଇର ପୁଅମାନେ ରମେଇଙ୍କଠାରେ ଶରଣ ପାଇବାରୁ ରମେଇ ସେମାନଙ୍କୁ ନିଜ ଦଳରେ ମିଶାଇ ନେଲେ ।

Image

 

ରମେଇ କିପରି ରାଜା ହେଲେ

 

ସେ ସମୟରେ ପାଟଣା ରାଜ୍ୟର ଲୋକମାନେ ମିଳି ସିଂହାସନ ଉପରେ ଗୋଟିଏ ସୁନାର ଲେମ୍ବୁ ରଖିଦେଇ ଥାଆନ୍ତି, ଆଉ ତାଙ୍କ ଭିତରୁ ବଡ଼ ପଣ୍ଡିତ ଆଉ ବଡ଼ ଯୋଦ୍ଧା ଆଠଜଣକୁ ବାଛି ମଲ୍ଲିକ କରି ଥାଆନ୍ତି । ମଲ୍ଲିକମାନେ ଯେଉଁଦିନ ଯାହାର ପାଳି ସେଦିନ ସୁନାଲେମ୍ବୁ ଧରି ରାଜପଣ କରୁଥାଆନ୍ତି । ଲେମ୍ବୁ ଯେଉଁଦିନ ଯାହା ହାତରେ ଥାଏ ତାଙ୍କୁ ସମସ୍ତେ ସେଦିନ ରଜା ବୋଲି ମାନୁ ଥାଆନ୍ତି ।

 

ଥରେ ଗୋଟିଏ ବଡ଼ ଧଳା ବାଘ କେଉଁଠୁ ଆସି ରାଜ୍ୟରେ ବଡ଼ ଉପଦ୍ରବ କଲା । କେହି ତାକୁ ମାରିପାରିଲେ ନାହିଁ । ଦିନୁଦିନୁ ବାଘର ସାହସ ବଢ଼ିଗଲା । ତାର ଉପଦ୍ରବରେ କେହି ବାଟରେ ଚାଲି ପାରିଲେ ନାହିଁ । ଲୋକେ ଘୋଷଣା କଲେ ଯେ ଏ ବାଘକୁ ମାରିଦେବ ତାକୁ ସମସ୍ତେ ରଜା ବୋଲି ମାନିବେ । ରମେଇ ଦମେଇ ଖଣ୍ଡା ଧରି କୌଶଳରେ ବାଘକୁ ମାରିଦେଲେ-। ଲୋକଙ୍କର ଆନନ୍ଦ କହିଲେ ନ ସରେ ।

 

ରମେଇ ଯେଉଁ ପାଣିଗ୍ରାହୀ ଘରେ ଥାଆନ୍ତି ସେ ମଲ୍ଳିକଙ୍କ ଭିତରେ ପ୍ରଧାନ ମଲ୍ଲିକ ଥିବାରୁ ଲୋକେ ତାଙ୍କୁ ମୁଣ୍ଡୋମଲ୍ଲିକ ବୋଲି ଡାକୁଥିଲେ । ପାଣିଗ୍ରାହୀ ବୁଢ଼ା ଏ କୀର୍ତ୍ତି ଦେଖି ରମେଇଙ୍କୁ ଆନନ୍ଦରେ କୁଣ୍ଢାଇ ପକାଇଲେ ।

 

ଲୋକେ ତ ଆନନ୍ଦରେ ରମେଇଙ୍କ ଗୁଣ ଗାଉଥିଲେ ଆଉ ତାଙ୍କୁ ରଜା କରିବାକୁ ସବୁ ଯୋଗାଡ଼ କରିବାକୁ ଲାଗିଲେ ।

 

ଦିନେ ପାଣିଗ୍ରାହୀ ବୁଢ଼ାର ମଲ୍ଲିକ ପାଳି ଥାଏ । ଦୈବ ଯୋଗକୁ ବୁଢ଼ାର ସେଦିନ ଭାରି ବେମାର । ସେ ଯାଇ ପାରିବେ ନାହିଁ ବୋଲି ରମେଇ ହାତରେ କହି ପଠାଇଲେ । ଲୋକେ ସେଦିନ ଜମା ହୋଇ ରମେଇଙ୍କୁ ରାଜା କରିବେ ବୋଲି ଜଗି ରହି ଥାଆନ୍ତି । ରମେଇ ସଭାରେ ପହଞ୍ଚିଲାକ୍ଷଣି ଲୋକେ ତାଙ୍କୁ ନେଇ ସିଂହାସନରେ ବସାଇ ଦେଲେ ।

 

ଏବେ ସାତ ଜଣ ଯାକ ମଲ୍ଲିକ ନିଜ ନିଜର ରାଜୁତି ସରି ଯାଉଥିବା ଦେଖି ଈର୍ଷାରେ ବିଦ୍ରୋହ କରିବାର ଯତ୍ନ କଲେ । ରମେଇ ସେମାନଙ୍କୁ ହରେଇ ଲୋକଙ୍କୁ ଡରାଇବା ପାଇଁ ମୁଣ୍ଡକାଟ ହୁକୁମ ଦେଲେ । ତାଙ୍କ ପୁଅମାନେ ଶରଣ ପଶିବାରୁ ସେମାନଙ୍କୁ ରାଜ୍ୟରେ ସେନାପତି ଆଦି ବଡ଼ ବଡ଼ କାର୍ଯ୍ୟମାନେ ଦେଲେ ।

 

ପରେ ପାଣିଗ୍ରାହୀ ବୁଢ଼ାଙ୍କୁ ଡକାଇ ତାଙ୍କୁ ପାଟମନ୍ତ୍ରୀ ଶାଢ଼ୀ ଦେଲେ ।

 

Image

 

ରମେଇଙ୍କ ଜଗନ୍ନାଥ ଦର୍ଶନ

 

ରମେଇ ଦେଓ ରାଜା ହୋଇ ସମସ୍ତ ଉପରାଓ, ଜମିଦାର ଆଉ ସମସ୍ତ ରାଜାଙ୍କୁ ଡକାଇଲେ । କେତେ ସାମନ୍ତ ନାନାଦି ଉପହାର ଧରି ଆସିଲେ । କେତେ ନ ଆସିବାରୁ ସେ ସେମାନଙ୍କ ସଙ୍ଗେ ଯୁଦ୍ଧ କଲେ । ତା’ପରେ ସେ ବୌଦ ରାଜ୍ୟ ଆକ୍ରମଣ କଲେ । ବୌଦ ରାଜା ଯୁଦ୍ଧରେ ହାରିଯାଇ ତାଙ୍କ ଅଧୀନତା ସ୍ୱୀକାର କଲେ । ତା’ପରେ ସେ ବଡ଼ମ୍ବା, ବାମଣ୍ଡା, ନରସିଂହପୁର, ଆଦି ରାଜ୍ୟ ଜୟ କରି ଢେଙ୍କାନାଳ ଆକ୍ରମଣ କଲେ । ଢେଙ୍କାନାଳ ଜୟ କରି ସାରିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୁଷୋତ୍ତମ କ୍ଷେତ୍ରକୁ ଗଲେ । ସେଠାରେ ଗଜପତି ରାଜା ରାଜରାଜେଶ୍ୱର ଦେବ ତାଙ୍କୁ ବଡ଼ ସମ୍ମାନରେ ଗ୍ରହଣ କଲେ ।

 

ଦିନେ ରମେଇ ଦେଓ ମୁକ୍ତିମଣ୍ଡପରେ ଶୋଇଥିଲେ । ସେତବେଳେ ରାତି ହୋଇଯାଇଥିଲା । ଗଜପତିଙ୍କ ମା ଦର୍ଶନରୁ ଫେରିଲା ବେଳେ ତାଙ୍କୁ ଚତୁର୍ଭୁଜ ମୂର୍ତ୍ତି ହୋଇ ବିଷ୍ଣୁଙ୍କ ଚାରି ହାତରେ ଥିବା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥିବା ଦେଖିଲେ । ସେ ଆଶ୍ଚର୍ଯ୍ୟ ହୋଇ ଏ କଥା ଯାଇ ନିଜ ପୁଅକୁ କହିଲେ । ଗଜପତି ରାଜା କହିଲେ ଆରଦିନ ସେ ନିଜେ ମୁକ୍ତିମଣ୍ଡପରେ ଶୋଇବେ ଓ ମା ତାଙ୍କୁ ଦେଖିଯିବେ ।

 

ମା ଦେଖିଲେ ତାଙ୍କ ପୁଅ ମଧ୍ୟ ସେଠାରେ ଶୋଇଥିବାବେଳେ ସେହିପରି ଚତୁର୍ଭୁଜ ହୋଇ ବିଷ୍ଣୁଙ୍କୁ ଆୟୁଧମାନ ଧରି ଅଛନ୍ତି ।

 

ତହୁଁ ମା କହିଲେ ଉଭୟେ ବିଷ୍ଣୁ ଅଂଶୀ ଆଉ ଦୁହିଙ୍କଠାରେ ଜଗନ୍ନାଥଙ୍କ କଳା ଅଛି ।

 

ଦିନେ ଗଜପତି ରାଜା ରମେଇଙ୍କ ମନ ବିଡ଼ିବା ପାଇଁ ଏକାକୀ ନିରସ୍ତ୍ର ଅବସ୍ଥାରେ ଆପଣାର ଅନ୍ତଃପୁରକୁ ନିମନ୍ତ୍ରଣ କରିନେଲେ । ସେଠାରେ ଉଭୟଙ୍କ ମଧ୍ୟରେ ଅନେକ ଖୁସିଗପ ହେଲା । ହଠାତ୍‌ ଗଜପତି କହିଲେ ‘‘ତୁମେ କ୍ଷତ୍ରିୟ ହୋଇ ନିରସ୍ତ୍ର ହୋଇ ରହିଅଛ । ଏ କ୍ଷଣି କେହି ତୁମର ପ୍ରାଣ ନାଶକଲେ ତୁମେ କଅଣ କରିବ ?’’ ରମେଇ ନିଜ ଦେହରେ ଅର୍ଥାତ୍‌ ପୋଷାକ ଭିତରେ ଲୁଚାଇ ରଖିଥିବା ଖଣ୍ଡା ବାହାର କରି ସେହିକ୍ଷଣି ଉତ୍ତର ଦେଲେ ‘‘ମୁଁ ଇଚ୍ଛା କଲେ ବର୍ତ୍ତମାନ ଆପଣଙ୍କୁ ମାରି ଓଡ଼ିଶାର ସିଂହାସନ ଅଧିକାର କରିପାରେ ।’’ ଏହା ଶୁଣି ଗଜପତି ଲଜ୍ଜିତ ହେଲେ । ଆଉ ନିଜର ଝିଅ ନ ଥିବାରୁ ଭାଇର ଝିଅଙ୍କୁ ତାଙ୍କୁ ବିବାହ ଦେବାର ପ୍ରସ୍ତାବ କଲେ । ପାଟଣା ଓ ଓଡ଼ିଶାର ସୀମା ଦଶପଲ୍ଲା ରାଜ୍ୟରେ ଏହି ବିବାହ ଉତ୍ସବ ପାଳିତ ହୋଇଥିଲା-

 

ଯେଉଁଠାରେ ଏ ଉତ୍ସବ ପାଇଁ ଛାମୁଣ୍ଡିଆ ମରା ହୋଇଥିଲା, ସେଠାରେ ଛାମୁଣ୍ଡିଆ ବୋଲି ଗୋଟିଏ ଗାଁ ମଧ୍ୟ ବସା ଯାଇଥିଲା । ସେ ଗାଁ ଆଜି କାଲି ମଧ୍ୟ ସେହି ନାମରେ ସେହିଠାରେ ରହିଅଛି ।

Image

 

ବସ୍ତର ଯୁଦ୍ଧ

 

ପାଟଣା ମହାରାଜ ଦେଓଙ୍କ ଜେମା ବଡ଼ ସୁନ୍ଦରୀ ଥିଲେ । ସେ ବସ୍ତର ଯୁବରାଜଙ୍କ ଗୁଣ ଶୁଣି ତାଙ୍କୁ ବିବାହ ହେବା ମନେ ମନେ ସ୍ଥିର କଲେ । ବତ୍ସରାଜ ଦେଓ ପୁରୋହିତଙ୍କ ହାତରେ ଏ କଥା ବସ୍ତର ରାଜାଙ୍କୁ କହି ପଠାଇଲେ ।

 

ବସ୍ତର ମହାରାଜା ପାଟଣାର ପ୍ରତାପ ବିଷୟ ଜାଣି ଥାଆନ୍ତି । ସେ ମନେକଲେ ରମେଇ ଖଣ୍ଡା ପାଟଣାରେ ଥିବାରୁ ପାଟଣା ଏଡ଼େ ବଳବାନ୍‌ । ଏ ଭାବନା ମନରେ ରଖି ସେ କହି ପଠାଇଲେ ଯେ, ‘‘ଯଦି ତାଙ୍କୁ ରମେଇଖଣ୍ଡା ପାଟଣା ମହାରାଜା ଦେବେ ତେବେ ତାଙ୍କ ଏ ପ୍ରସ୍ତାବରେ ସେ ସମ୍ମତି ଦେବେ ।’’

 

ବତ୍ସରାଜ ଦେଓ ଏହା ଶୁଣି ବଡ଼ ରାଗିଲେ । କିନ୍ତୁ ତାଙ୍କ ଜେମା ଏକା ଜିଦ୍‌ଧରି ବସିଲେ ଯେ ସେ ମନେ ମନେ ବସ୍ତର ଯୁବରାଜଙ୍କୁ ପତି ପଦରେ ବରଣ କରି ସାରିଥିବାରୁ ଆଉ କାହାକୁ ବିଭା ହେବେ ନାହିଁ । ବତ୍ସରାଜ ଦେଓ ଏବେ ମହା ବିଷମ ସମସ୍ୟାରେ ପଡ଼ିଲେ । କିନ୍ତୁ ଶେଷରେ ରାଣୀଙ୍କ କାନ୍ଦ ଆଉ ଜେମାଙ୍କ ପଣ ତାଙ୍କୁ ‘‘ରମେଇଖଣ୍ଡା’’ ଦେବାକୁ ବାଧ୍ୟ କଲା ।

 

ପାଟଣା ମହାରାଜା ରମେଇଖଣ୍ଡା ଦେବାକୁ ରାଜି ହେବାରୁ ବସ୍ତର ଯୁବରାଜ ଅନେକ ଉତ୍ସବ କରି ବିବାହ ହେବାକୁ ଆସିଲେ । ବିବାହ ମହାସମାରୋହରେ ବଢ଼ିଗଲା ।

 

ପାଟଣାରୁ ଫେରିଲାବେଳେ ରମେଇଖଣ୍ଡାକୁ ଗୋଟିଏ ଦୋଳାରେ ଦେଇ ଅନ୍ୟ ଗୋଟିଏ ଦୋଳାରେ ଜେମା ବସ୍ତର ଗଲେ ।

 

ବସ୍ତରରେ ପହଞ୍ଚିଲା କ୍ଷଣି ବସ୍ତର ରାଜା ଦୋଳା ଖୋଲି ରମେଇ ଖଣ୍ଡା ଧରିବାକୁ ଆଗ୍ରହରେ ହାତ ବଢ଼େଇଲାବେଳକୁ ଖଣ୍ଡା ତଳୁ ଗୋଟିଏ ନାଗସାପ ବାହାରି ଫେଣା ତୋଳି ଦଂଶିବାକୁ ଉଦ୍ୟତ ହେଲା । ରାଜା ଭୟରେ ପଛକୁ ଘୁଞ୍ଚିଗଲେ । ବସ୍ତର ରାଜା ମନେ ମନେ ଭାବିଲେ ପାଟଣା ମହାରାଜା ତାଙ୍କୁ ମାରିବାକୁ ଏ ଷଡ଼ଯନ୍ତ୍ର କରିଅଛନ୍ତି । ତେଣୁ ସେ ଜେମାଙ୍କୁ ଅନେକ ପ୍ରକାରେ ଅପମାନ ଦେବାକୁ ଲାଗିଲେ ।

 

କେତେଦିନ ଗଲାପରେ ଜେମାଙ୍କ ପାଇଁ ଭାରନେଇ ପାଟଣା ଲୋକେ ବସ୍ତର ଗଲେ । ବସ୍ତର ରାଜା ଦିଓଟି କୁକୁର ପୋଷି ଗୋଟିକର ନାଁ ବତ୍ସରାଜ, ଗୋଟିକର ନାଁ ବଳରାମ ଦେଇଥାଆନ୍ତି । ପାଟଣାର ଲୋକେ ପାଟଣାକୁ ଫେରି ଏକଥା କହିବାରୁ ପାଟଣା ମହାରାଜା ଆଉ ତାଙ୍କ ଭାଇ ବଳରାମ ମନରେ ବଡ଼ ରାଗ କଲେ । ସେମାନେ ଏ ଅପମାନର ପ୍ରତିଶୋଧ ନେବାପାଇଁ ଅନେକ ସୈନ୍ୟ ସଂଗ୍ରହ କଲେ ।

 

ବସ୍ତର ସୈନ୍ୟମାନେ ଆସି ରାଜ୍ୟ ସୀମାରେ ଯୁଦ୍ଧକଲେ ଓ ହାରିଗଲେ । ପୁଣି ଚକ୍ରକୋଟ ନାମକ ବସ୍ତର ରାଜଧାନୀ ନିକଟରେ ଯୁଦ୍ଧ ହେଲା । ସେଥିରେ ମଧ୍ୟ ବସ୍ତର ସୈନ୍ୟ ହାରିଗଲେ । ତା’ପରେ ସେମାନେ ଯୁଦ୍ଧ ନକରି ଗଡ଼ଦ୍ୱାର ବନ୍ଦ କରି ରହିଲେ । ଏପରି ବର୍ଷେ କାଳ ବିତିଗଲା । ପାଟଣା ସୈନ୍ୟ ବଡ଼ ପାଚେରୀ ଭାଙ୍ଗିପାରିଲେ ନାହିଁ । ଗଡ଼ ଭିତରୁ ଜଣେ ଗଉଡ଼ୁଣୀ ସୁନ୍ଦର ସୁନ୍ଦର ଫଳମୂଳ ଆଉ ଖାଇବା ଦ୍ରବ୍ୟ ଘେନି ପାଟଣା ସୈନ୍ୟମାନଙ୍କ ପାଖକୁ ବିକ୍ରିୟକରିବା ପାଇଁ ଆଣୁଥାଏ । ସେସବୁ ଜିନିଷ ଯେ ଖାଉଥାଏ ସେ ମରି ଯାଉଥାଏ । କିନ୍ତୁ ଗଉଡ଼ୁଣୀ ଦିନକୁ ଦିନ ବେଶ ବଦଳାଇ ଆସୁଥିବାରୁ ପାଟଣା ସୈନ୍ୟମାନେ ତାକୁ ଚିହ୍ନିପାରୁ ନ ଥିଲେ ।

 

କେତେଦିନ ଗଲାପରେ ହୀରା ଓ ମଦନ ବୋଲି ଦୁଇଭାଇ ସେନାପତି ହେଲେ । ସେମାନେ ଅନୁମାନ କରି ଦେଖି ସେ ଗଉଡ଼ୁଣୀକି ଚିହ୍ନିଲେ । ଆଉ ତାକୁ ବସ୍ତରର ଇଷ୍ଟଦେବୀ ଦନ୍ତେଶ୍ୱରୀ ବୋଲି ଜାଣି ନାନାଦି ପୂଜାକଲେ । ଦେବୀ ପୂଜାରେ ସନ୍ତୋଷ ହୋଇ କହିଲେ ‘‘ବସ୍ତର ହାରିଗଲେ ମୋର ପୂଜା କିଏ କରିବ ? ସେନାପତି ଦୁଇ ଭାଇ ଏ ବିଷୟ ଯାଇ ମହାରାଜା ବତ୍ସରାଜ ଦେଓଙ୍କୁ କହିଲେ । ମହାରାଜା ବତ୍ସରାଜ ଦେଓ ସେହିକ୍ଷଣି ଯାଇ ଦେବୀ ପାଟଣାଗଡ଼ ଛାଡ଼ି ରାଜ୍ୟର ଆଉ ସବୁଆଡ଼େ ଦେବୀ-ବସ୍ତରେନ ନାମରେ ପୂଜା ପାଇବା ବୋଲି ପ୍ରତିଜ୍ଞା କଲେ । ଏହା ଶୁଣି ଦେବୀ କହିଲେ ‘‘ଆରଦିନ ସକାଳେ ଜଣେ ଗର୍ଭିଣୀ ସ୍ତ୍ରୀ ଗଡ଼ରୁ ଗୋଟିଏ ବାଟରେ ବାହାରିବ । ସେ ବାଟରେ ପାଟଣା ସୈନ୍ୟମାନେ ଗଡ଼ ଭିତରକୁ ଧସାଇ ପଶିବେ ।’’

 

ସେନାପତିମାନେ ସୈନ୍ୟ ଧରି ସାବଧାନ ହୋଇ ଜଗି ରହିଲେ । ଆରଦିନ ସକାଳେ ଠିକ୍‌ ଗର୍ଭିଣୀ ସ୍ତ୍ରୀଟିଏ ଗଡ଼ ଭିତରୁ ବାହାରିବା ଦେଖି ସେମାନେ ସମସ୍ତେ ସେ ବାଟର ଭିତରକୁ ଧସାଇ ପଶିଲେ, ଆଉ ଗଡ଼ ଅଧିକାର କଲେ । ଯୁଦ୍ଧରେ ବସ୍ତର ରାଜା ହାଣ ଖାଇବାରୁ ବତ୍ସରାଜ ଦେଓ ଯୁବରାଜଙ୍କୁ ସିଂହାସନରେ ବସାଇଲେ ।

 

ଏବେ ବସ୍ତର ରାଜା ପାଟଣା ମହାରାଜାଙ୍କୁ ବାର୍ଷିକ ଟଙ୍କାକର ଦେବା ସ୍ଥିରହେଲା । ଭିଖରାଏ ଦେଓ୍ୟାନ୍‌ ତହିଁର ଜାମିନ୍‌ ହୋଇ ପାଟଣାକୁ ଆସିଲେ ।

 

ଦନ୍ତେଶ୍ୱରୀ ଦେବୀ ସେହି ଦିନଠାରୁ ପାଟଣାର ଗ୍ରାମେ ଗ୍ରାମେ ବସ୍ତରେନ ବୋଲି ପୂଜିତ ହେଲେ । ରମେଇଖଣ୍ଡାକୁ ପୁଣି ମହା ସମାରୋହରେ ଅଣାଯାଇ ପାଟଣାରେ ସ୍ଥାପନ କରାଗଲା ।

 

ଏ ଯୁଦ୍ଧ ପରେ ପାଟଣା ମହାରାଜାମାନେ ମହାରାଜଧିରାଜ ଉପାଧି ଗ୍ରହଣ କଲେ । ସେ ଉପାଧି ଆଜି ପର୍ଯ୍ୟନ୍ତ ବ୍ୟବହାର ହେଉଅଛି ।

Image

 

ପାଟଣାଗଡ଼

 

ପାଟଣାଗଡ଼ ପାଟଣା ରାଜ୍ୟ ହେଲା ଦିନଠାରୁ ରାଜ୍ୟର ରାଜଧାନୀ ଥିଲା । ଯେତେବେଳେ ଏ ରାଜ୍ୟ କୋଶଳ ନାମରେ ପରିଚିତ ଥିଲା, ତେତେବେଳେ କଅଁଶିଲ, ତୋଷଳ ବା ତୋଷରା ବା ଟିଟିଲାଗଡ଼ ଏହାର ରାଜଧାନୀ ଥିଲା । ସେତେବେଳେ ମଧ୍ୟ ପାଟଣାଗଡ଼ ବା କମନ୍ତାପୁରୀ ନାମରେ ପରିଚିତ ହୋଇ ସମୟ ସମୟରେ କୋଶଳର ରାଜଧାନୀ ହେଉଥିଲା ।

 

ଆଗ ପାଟଣାଗଡ଼ ପ୍ରକୃତରେ ଗୋଟିଏ ସୁଦୃଢ଼ ଦୁର୍ଗ ଥିଲା । ଏହାର ପୂର୍ବ ଦିଗରେ ପ୍ରଥମରେ ଗୋଟିଏ ବଡ଼ ଉଞ୍ଚ ଜାଗା ଥିଲା । ସେ ଜାଗାଟି ଆଜି ପର୍ଯ୍ୟନ୍ତ ଅଛି । ତାହା ଉପରେ ଠିଆ ହେଲେ ସହଜରେ ଦୂରରେ ଥିବା ଶତ୍ରୁକୁ ଦେଖି ହେଉଥିଲା । ତା’ପରେ ସୁବର୍ଣ୍ଣରେଖା ନଦୀ । ତହିଁରୁ ବଡ଼ ବଡ଼ ବନ୍ଧର ପୂର୍ବପଟ ଆଡ଼ି ଆଉ ତା ଉପରେ କଟଙ୍ଗ ବାଉଁଶର ଜଙ୍ଗଲ । ତା’ ଉତ୍ତାରେ ବନ୍ଧ ସବୁର ଗଭୀର ପାଣି । ତହିଁରୁ ସେ ବନ୍ଧର ପଶ୍ଚିମପଟ ଆଡ଼ି ଆଉ ତା’ ଉପରେ ଥିବା କଟଙ୍ଗ ଝାଡ଼ । ଠିକ୍‌ ତାକୁ ଲାଗି ଗଡ଼-ଖାଇ । ଗଡ଼-ଖାଇ ଉତ୍ତାରେ ଗଡ଼ର ଉଚ୍ଚ କାନ୍ଥ । ସେ କାନ୍ଥ ଉପରେ କଟଙ୍ଗ ବାଉଁଶ ଏତେ ଘଞ୍ଚ ଭାବରେ ଲାଗିଥାଏ ଯେ ଲୋକ ତ ଲୋକ ଜୀବଜନ୍ତୁ ମଧ୍ୟ ସହଜରେ ତାହା ଭେଦ କରି ଯାଇ ପାରୁ ନ ଥିଲେ । ଏ କାନ୍ଥକୁ ଲାଗି ପୁଣି ବନ୍ଧ ଆଉ ତା ଦୁଇ ଆଡ଼ିରେ କଟଙ୍ଗ ବାଉଁଶ । ଆଉ ସେ କାନ୍ଥରେ ଦୁର୍ଗ ଦ୍ୱାରରେ ଉଞ୍ଚ ଶକ୍ତି କବାଟ । ତେଣୁ ଶତ୍ରୁ ସେ ଦିଗରୁ ଗଡ଼କୁ ପଶିବାକୁ ଚେଷ୍ଟା କଲେ ତାକୁ ଚାରି ଜାଗାରେ ପାଣି ଆଉ ପାଞ୍ଚ ଜାଗାରେ କଟଙ୍ଗ ବାଉଁଶର ଝାଡ଼କୁ ପାରି ହେବାକୁ ହେଉଥିଲା । ଦୁର୍ଗର ଆଉ ତିନିଆଡ଼ ମଧ୍ୟ ସେହିପରି ସୁରକ୍ଷିତ ଥିଲା ।

 

ସେ ଦୁର୍ଗର ଚାରୋଟି ଦ୍ୱାର ଥିଲା । ପୂର୍ବ ଦିଗର ଦ୍ୱାରକୁ ସୋନପୁର ଦ୍ୱାର କହୁଥିଲେ, ଆଉ ଉତ୍ତର ଦିଗର ଦ୍ୱାରକୁ ଘସିଏନ ଦ୍ୱାର କହୁଥିଲେ । ଆଉ ବାକୀ ଦୁଇ ଦ୍ୱାର ସିଂହଦ୍ୱାର ଓ ଚୂର୍ଣ୍ଣଦ୍ୱାର ।

 

ଏ ସହର ମାୟାବତୀ, ସୁବର୍ଣ୍ଣରେଖା ଏହି ଦୁଇ ନଦୀ ମଧ୍ୟରେ ଥିବାରୁ ସହଜରେ ଶତ୍ରୁ ଏହା ନେଇ ପାରୁ ନ ଥିଲେ ।

 

ପୂର୍ବେ ଦଶହରା ମାସରେ ପାଟଣେଶ୍ୱରୀଙ୍କ ପୂଜାହେଲା ସମୟରେ ପାଟଣାଗଡ଼ରେ ଭାରୀ ଉତ୍ସବ ହେଉଥିଲା । ସେଠାରେ ଛତିଶ ହଜାର ପାଇକ ନିଜ ଅସ୍ତ୍ରଶସ୍ତ୍ର ଧରି ଜମା ହେଉଥିଲେ । ପାଇକମାନଙ୍କ ସେନାପତିଙ୍କୁ ବୁଡ଼େକ କୁହାଯାଉଥିଲା । ବୁଡ଼େକ ଥାଟରାଜା ନାମରେ ପରିଚିତ ହେଉଥିଲେ । ବୁଡ଼େକ ଛତିଶ ହଜାର ପାଇକଙ୍କୁ ନେଇ ମହାରାଜାଙ୍କୁ ଡାକି ଯାଉଥିଲେ । ପାଟଣା ମହାରାଜା ଛତିଶ ହଜାର ଖଣ୍ଡାର ଛାଇରେ ଯାଇ ପାଟଣେଶ୍ୱରୀଙ୍କୁ ପୂଜା କରୁଥିଲେ ।

 

ପାଟଣା ଗଡ଼ରେ ଅନେକ ପ୍ରାଚୀନ ବନ୍ଧ, ଦେଉଳ, ଆଉ ଆମ୍ବତୋଟା ଅଛି ।

 

ଦେଉଳ ମଧ୍ୟରେ କୋଶଳେଶ୍ୱର ମହାଦେବ ମନ୍ଦିରର ଅତି ସୁନ୍ଦର ସୁନ୍ଦର କାମ ହୋଇଥିବାରୁ ତାହା ସବୁଠାରୁ ସୁନ୍ଦର ।

Image

 

୨ୟ ବୈଜଳ ଦେଓ

 

ଆଜିକାଲି ବୈଜଳ-କାରିକା ବୋଲି ଗୋଟିଏ ସଂସ୍କୃତ ଗ୍ରନ୍ଥ ଓଡ଼ିଶା, ବଙ୍ଗ ପ୍ରଦେଶ ଓ ମଧ୍ୟଭାରତର ଟୋଲମାନଙ୍କରେ ଦେଖିବାକୁ ମିଳେ । ଏ ଗ୍ରନ୍ଥ ପାଟଣା ମହାରାଜା ବିକ୍ରମାଦିତ୍ୟ ଦେଓଙ୍କ ପୁଅ ବୈଜଳ ଦେଓ ରଚନା କରିଥିଲେ ।

 

ବୈଜଳ ଦେଓ ବଡ଼ ପଣ୍ଡିତ ଓ ଧାର୍ମିକ ଥିଲେ । ସେ ପୁତ୍ର ବଜ୍ର ହୀରାଧର ଦେଓଙ୍କୁ ଧର୍ମ ବିଷୟ ସହଜ ଭାବରେ ବୁଝାଇବା ସଙ୍ଗେ ସଙ୍ଗେ ବ୍ୟାକରଣ ଶିକ୍ଷା ଦେବା ପାଇଁ ଏ ଗ୍ରନ୍ଥ ରଚନା କରିଥିଲେ । ସେ ଗ୍ରନ୍ଥରେ ସେ ଲେଖିଅଛନ୍ତି ପୁସ୍ତକର ରଚନାରୂପ କୀର୍ତ୍ତିରୁ ଅନ୍ୟ କୀର୍ତ୍ତି ବଡ଼ ନୁହେଁ-

 

ସେ ରାଜ୍ୟରେ ଅନେକ ଓଡ଼ିଆ ବିଦ୍ୟାଳୟ ଓ ସଂସ୍କୃତ ଟୋଲ ବସାଇ ବିଦ୍ୟାର ପ୍ରଚାର କରିଥିଲେ । ଅନେକ ଆଖଡ଼ା ବସାଇ ଯୁଦ୍ଧବିଦ୍ୟା ମଧ୍ୟ ଶିକ୍ଷା ଦେଇଥିଲେ । କୃଷି ଆଉ ବାଣିଜ୍ୟର ଉନ୍ନତି ଲାଗି ଅନେକ ଅର୍ଥବ୍ୟୟ କରିଥିଲେ ।

 

ତାଙ୍କ ପୁଅ ବାପାଙ୍କ ସଦୁପଦେଶ ହେତୁ ଦିନେ ବଡ଼ ରାଜା ହୋଇଥିଲେ । ଏପରି କି ସେ ବଙ୍ଗର ହୁସେନ୍‌ ସାଙ୍କୁ ମଧ୍ୟ ପରାସ୍ତ କରିବାକୁ ସମର୍ଥ ହୋଇଥିଲେ । ଆଉ ରାଜ୍ୟର ଚାରିଆଡ଼େ ବିଦ୍ୟାଳୟ ବସାଇଥିଲେ । ଚିକିତ୍ସା ଶାସ୍ତ୍ର ପଢ଼ାଇବା ପାଇଁ ମଧ୍ୟ ଅନେକ ବୈଦ୍ୟ ବିଦ୍ୟାଳୟ ଖୋଲିଥିଲେ ।

Image

 

ଚୈତନ୍ୟ ଦାସ

 

ପାଟଣା ମହାରାଜା ବୀରମଲ୍ଲ ଦେଓଙ୍କ ପୁଅ ପ୍ରତାପରୁଦ୍ରଙ୍କ ସମୟରେ ବୁଦ୍ଧେଶ୍ୱର ବୋଲି ଜଣେ ମାଳି ଜାତିର ଲୋକ ଥିଲେ । ସେ ଆଉ ତାଙ୍କ ଭାଇ ଧର୍ମୋତ୍ତର ପାଟଣା ରାଜ୍ୟର ଖଡ଼ିଆଳ ସହରରେ ନିଜ ବ୍ୟବସାୟ କରି ବଡ଼ ସୁଖରେ ଚଳି ଯାଉଥିଲେ । ସେ ସମୟରେ ପାଟଣା ରାଜ୍ୟକୁ କାଉଁରୀ ପାଟଣା ବୋଲି କହୁଥିଲେ ।

 

ବୁଦ୍ଧେଶ୍ୱରଙ୍କ ସ୍ତ୍ରୀ ମେଘାବତୀଙ୍କ ଗର୍ଭରେ ଗୋଟିଏ ବଡ଼ ସୁଲକ୍ଷଣ ବାଳକ ଜାତ ହେଲା-। ମା ବାପ ବଡ଼ ଆନନ୍ଦରେ ତା ନାଁ ଦେଲେ ଦେବଦତ୍ତ ।

 

ଦେବଦତ୍ତ ଦିନୁଁ ଦିନୁଁ ବଡ଼ ହୋଇ ପାଠପଢ଼ାରେ ମନ ଦେଲେ । କେତେ ଦିନ ଗଲା ପରେ ବୁଦ୍ଧେଶ୍ୱର ମରିଗଲେ । ସେ ସମୟକୁ ଦେବଦତ୍ତ ଯୁବକ । କେତେଦିନ ଗଲାପରେ ଧ୍ୟାନଦାସ ନାମକ ଜଣେ ସନ୍ନ୍ୟାସୀ ଖଡ଼ିଆଳ ଆସିଲେ । ଧ୍ୟାନଦାସ ବାଲ୍ୟକାଳରୁ ସନ୍ନ୍ୟାସୀ ଧର୍ମ ଗ୍ରହଣ କରିଥିଲେ । ତାଙ୍କୁ ଦେଖି ଦେବଦତ୍ତ ବଡ଼ ଭକ୍ତିରେ ନିଜ ଘରକୁ ଡାକି ଆଣିଲେ । ଆଉ ଘରେ ରହିବା ପାଇଁ ସ୍ଥାନ ଦେଲେ । ସେ ସନ୍ନ୍ୟାସୀ ଦେବଦତ୍ତଙ୍କ ସେବାରେ ସନ୍ତୋଷ ହୋଇ ତାଙ୍କ ଘରେ ପ୍ରାୟ ୬ମାସ କାଳ ରହିଗଲେ । ଦେବଦତ୍ତ ବହୁତ ଆଗ୍ରହ କରିବାରୁ ଧ୍ୟାନଦାସ ତାଙ୍କୁ କର୍ଣ୍ଣ ଉପଦେଶ ଦେଲେ । ଦେବଦତ୍ତ ଗୁରୁ-ଉପଦେଶ ପାଇଁ ସନ୍ନ୍ୟାସୀ ହେଲେ ଆଉ ଚୈତନ୍ୟ ଦାସ ନାମ ଗ୍ରହଣ କଲେ ।

 

କେତେଦିନ ପରେ ଚୈତନ୍ୟ ଦାସ ଗୃହ ତ୍ୟାଗ କରି ନାନାଦି ତୀର୍ଥ ପର୍ଯ୍ୟଟନ କଲେ । ତୀର୍ଥରୁ ଫେରିବା ପରେ ଖଡ଼ିଆଳ ଗଡ଼ର ଗଡ଼ତିଆ ଭାଗିରଥୀ ବାବୁ ଆଉ ଅନ୍ୟ ଜାଗାକୁ ନ ଯିବାକୁ ଅନୁରୋଧ କଲେ । ସେ ତାଙ୍କୁ ବଡ଼ମୂଳ ବୋଲି ଗାଁରେ ମଠ କରିବାକୁ କେତେ ଭୂମି ଦେଲେ । ସେଠାରେ ଚୈତନ୍ୟ ଦାସ ରହି ଅନେକ ଗ୍ରନ୍ଥ ଲେଖିଲେ ।

 

ତାଙ୍କର ଆଉ ଗ୍ରନ୍ଥ ସବୁ ଏବେ ଲୋପ ହୋଇଗଲାଣି । କେବଳ ନିର୍ଗୁଣ ମାହାତ୍ମ୍ୟ ଓ ବିଷ୍ଣୁଗର୍ଭ ପୁରାଣ ବୋଲି ଦିଓଟି ଗ୍ରନ୍ଥ ଆଜି ପର୍ଯ୍ୟନ୍ତ ଅଛି । ପ୍ରଥମ ଗ୍ରନ୍ଥରେ ସେ ଭଗବାନଙ୍କ ବୌଦ୍ଧ ଅବତାରକୁ ସବୁଠାରୁ ବଡ଼ ଅବତାର ବୋଲି ଲେଖିଅଛନ୍ତି । ଆଉ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ଇନ୍ଦ୍ର ଆଦି ଦେବତାଙ୍କ ଅପେକ୍ଷା ନିରାକାର ସ୍ୱାମୀ ବଡ଼ ବୋଲି ଲେଖିଅଛନ୍ତି । ତାଙ୍କ ମତରେ ମନୁଷ୍ୟକୁ କେବଳ ନିରାକାର ଭଜନରେ ମୁକ୍ତି ମିଳିପାରେ ।

 

ସେ ଗ୍ରନ୍ଥଗୁଡ଼ିକର ଭାଷା ବଡ଼ ସରଳ । ତହିଁରେ ବୌଦ୍ଧଧର୍ମ ଆଉ ହିନ୍ଦୁଧର୍ମର ଅନେକ ତଥ୍ୟ ବଡ଼ ସୁନ୍ଦର ଭାବରେ ବୁଝାଯାଇଅଛି । ଚୈତନ୍ୟ ଦାସ ନଦିୟାର ଚୈତନ୍ୟଙ୍କ ବୈଷ୍ଣବଧର୍ମ ପ୍ରଚାରର ଆଗରୁ ନିଜ ଧର୍ମଗତ ପ୍ରଚାର କରିଥିଲେ ।

Image

 

ନୃସିଂହନାଥ ଓ ହରିଶଙ୍କର

 

ପାଟଣା ଷ୍ଟେଟର ଉତ୍ତର ପଶ୍ଚିମ କୋଣକୁ ବୁଢ଼ାସମ୍ବର ସୀମାରେ ଗନ୍ଧମାର୍ଦ୍ଦନ ବୋଲି ଗୋଟିଏ ପର୍ବତ ଅଛି । ସେ ପର୍ବତରୁ ବତିଶି ଗୋଟି ଝରଣା ବାହାରୁଅଛି । ଆଗେ ନାଗାର୍ଜ୍ଜୁନ ବୋଲି ଜଣେ ବୌଦ୍ଧ ସନ୍ନ୍ୟାସୀ ସେ ପର୍ବତ ଉପରେ ଗୋଟିଏ ବଡ଼ ମଠ କରିଥିଲେ । କାଳକ୍ରମେ ମଠ ଲୋପ ହୋଇଗଲା ଆଉ ଚାରିଆଡ଼େ ଜଙ୍ଗଲ ହୋଇଗଲା ।

 

ସେ ପର୍ବତମାଳା ନିକଟରେ କନ୍ଧ ଆଦି ଅନେକ ବଣୁଆଜାତି ବାସ କରୁଥିଲେ । ଝରଣାମାନଙ୍କ ନିକଟରେ ପିଠାକନ୍ଦା ବୋଲି ଏକ ପ୍ରକାର କନ୍ଦା ଜାତ ହୁଏ । ଗୋଟିଏ ଝରଣା ପାଖରେ ଏ କନ୍ଦା ବହୁତ ପରିମାଣରେ ଜାତ ହେଉଥିବାରୁ ସେ ଝରଣାକୁ କନ୍ଦାଗାଡ଼ ଝରଣା କହୁଥିଲେ । ଦିନେ ଯମୁନା ନାମକ କନ୍ଧୁଣୀ ଗାତ ଖୋଳୁ ଖୋଳୁ ମାଟି ଭିତରୁ ଗୋରସର ଧାର ବୋହିଲା । କନ୍ଧୁଣୀ ଡରିଯାଇ କନ୍ଧକୁ ଏ କଥା କହିଲା, କନ୍ଧ ଆସି ଖଣତିରେ ସେ ଜାଗା ଭଲ ଭାବରେ ଖୋଳିଲା । କନ୍ଧ କନ୍ଧୁଣୀ ଦେଖିଲେ ସେ ଭିତରେ ଗୋଟିଏ ମୂର୍ତ୍ତି ଅଛି, ଆଉ ମୂର୍ତ୍ତିର ମୁଣ୍ଡରୁ ଗୋରସ ବାହାରୁ ଅଛି । ମୂର୍ତ୍ତିଟି ଧରି କନ୍ଧ କନ୍ଧୁଣୀ ଘରକୁ ଫେରିଲେ ।

 

ରାତିରେ ଦୁହିଁଙ୍କି ସପନ ହେଲା, ‘ଆମ୍ଭେ ନରସିଂହ ନାଥ ଅଟୁ ଆମ୍ଭଙ୍କୁ ପୂଜାକର । ତୁମ୍ଭର ଆଉ କୌଣସି ଦୁଃଖ କଷ୍ଟ ରହିବ ନାହିଁ । ଦିନେ ରାତିରେ ମହାରାଜା ବୈଜଳ ଦେଓଙ୍କୁ ଏ ବିଷୟ ସ୍ୱପ୍ନ ହେଲା ।

 

ମହାରାଜା କନ୍ଧ କନ୍ଧୁଣୀଙ୍କି ପଚାରି ସବୁ ବିଷୟ ଜାଣିଲେ । ସେ ଆଗ୍ରହରେ ଦେଉଳ ତୋଳାଇଲେ, ଆଉ ତହିଁରେ ନେଇ ନରସିଂହ ନାଥଙ୍କୁ ଥାପନା କଲେ । ସେ ଦେବତାଙ୍କ ସେବାପୂଜା ନିୟମିତ ଚଳିବ ବୋଲି ଲୁହାସିଂହା ଗାଁ ମାଫି ଦେଲେ ।

 

କେତେଦିନ ଗଲାରୁ ତାଙ୍କ ରାଣୀ ଦୁର୍ଲ୍ଲଭା ଦେଈ ସ୍ୱପ୍ନରେ ଦେଖିଲେ ଯେ ପର୍ବତର ଆର ପାଖରେ ହରିଶଙ୍କର ସଂଯୁକ୍ତମୂର୍ତ୍ତି ଅଛନ୍ତି । ସେ ସ୍ୱପ୍ନାଦେଶ ଅନୁସାରେ ଯାଇ ହରିଶଙ୍କରଙ୍କୁ ପାଇଲେ । ଗୋଟିଏ ଦେଉଳ ତିଆରି କରି ସେଥିରେ ସେ ମୂର୍ତ୍ତିଙ୍କି ବସାଇଲେ ।

 

ରାଜଧାନୀ ପାଟଣାଗଡ଼ରୁ ଗନ୍ଧମାର୍ଦ୍ଦନକୁ ଯିବା ଆସିବାବେଳେ ବୈଜଳ ଦେଓ ଦେଖିଲେ ଲୋକେ ଜଳକଷ୍ଟ ପାଉଅଛନ୍ତି । ସେ ବାଟରେ ବୈଜଳ ସାଗର ବୋଲି ଗୋଟିଏ ବଡ଼ ପୋଖରୀ ଖୋଳାଇଲେ । ତା ପାଖରେ ସାଗର ଗାଁ ମଧ୍ୟ ବସାଇଲେ ।

 

ସେଦିନଠାରୁ ଆଜି ପର୍ଯ୍ୟନ୍ତ ନରସିଂହ ନାଥ ଆଉ ହରିଶଙ୍କରଙ୍କ ପୂଜା ନିୟମିତ ଭାବରେ ହୋଇ ଆସୁଅଛି ।

Image

 

ବଳରାମ ଦେଓ

 

ବତ୍ସରାଜ ଦେଓ ବଣେଇ, ରେଢ଼ାଖୋଲ, ବେନ୍ଦ୍ରା ନୂଆଗଡ଼, ଶକ୍ତି, ବାମଣ୍ଡା, ଢେଙ୍କାନାଳ, ବସ୍ତର, ବୁଢ଼ାସମ୍ବର, ଗାଙ୍ଗପୁର, ଜୟପୁର, ଅନୁଗୁଳ, ବଡ଼ଗଡ଼, ଫୁଲଝର, ବଉଦ, ଦଶପଲ୍ଲା, ଖେମୁଣ୍ଡି, ପାଲଲହଡ଼ା ଇତ୍ୟାଦି ଅଠର ଗୋଟି ରାଜ୍ୟ ନିଜ ଅଧୀନରେ ରଖି ଶାସନ କରୁଥିଲେ । ଏ ରାଜ୍ୟ ମଧ୍ୟରୁ କେତେ ଗୋଟି ରାଜ୍ୟର ରାଜା ମହାରାଜା ଥିଲେ, କାରଣ ସେମାନଙ୍କ ଅଧୀନରେ ମଧ୍ୟ ଅନେକ ରାଜା ଥିଲେ । ତେଣୁ ସେଦିନ ଠାରୁ ପାଟଣାର ମହାରାଜାମାନେ ଅଠର ଗଡ଼ର ମହୁଡ଼ମଣି ମହାରାଜାଧିରାଜ ଉପାଧି ଗ୍ରହଣ କରିଥିଲେ । କିନ୍ତୁ କ୍ରମେ ସେ ରାଜ୍ୟ ଭିତରୁ କେତେ ସ୍ୱାଧୀନ ହୋଇଗଲେ । ଆଉ କେତେ ଅନ୍ୟ ରାଜାମାନଙ୍କ ଅଧୀନ ହୋଇଗଲେ । ବ୍ରଜହୀରାଧର ଦେଓଙ୍କ ଦୁଇ ପୁଅ ନରସିଂହ ଆଉ ବଳରାମ ପୁଣି ସୈନ୍ୟ ସଂଗ୍ରହ କରି ସେହି ଗଡ଼ଜାତମାନଙ୍କୁ ପାଟଣାର ଅଧୀନ କଲେ । ଏ ଯୁଦ୍ଧମାନଙ୍କରେ ବଳରାମଙ୍କ ସାହାଯ୍ୟ ହେତୁ ବଡ଼ଭାଇ ନରସିଂହ ଦେଓ ତାଙ୍କ ଉପରେ ବହୁତ ଖୁସି ହୋଇଥାଆନ୍ତି ।

 

ଦିନେ ରାତିରେ ପାଟଣା ମହାରାଣୀ ପ୍ରସବବେଦନା ଅନୁଭବ କଲେ । ସେତେବେଳେ ଘୋର ବର୍ଷା ଓ ଝଡ଼ ତୋଫାନ ହେଉଥାଏ । ବଳରାମ ଦେଓ ସେ ସବୁକୁ ନ ମାନି ମାୟାବତୀ ନଦୀ ପାର ହୋଇଗଲେ । ସେ ଯାଇ ବରପଦରରେ ରହୁଥିବା ସୁତୁରୁଣୀକୁ କାନ୍ଧରେ ବସାଇ ବଢ଼ିଲା ନଦୀ ପାର କରି ଘେନି ଆସିଲେ । ନରସିଂହ ଦେଓ ନିଜଠାରେ ଭାଇର ଏପରି ସ୍ନେହ ଓ ଭକ୍ତିଥିବା ଦେଖି ଅତିଶୟ ସନ୍ତୋଷ ହେଲେ ଏବଂ ଯାହା ଇଚ୍ଛା ତାହା ମାଗିବାକୁ ତାଙ୍କୁ ଆଦେଶ ଦେଲେ । ବଳରାମ ନିଜର ଖୋରାକ ପୋଷାକ ପାଇଁ ଅଙ୍ଗନଦୀର ଆର ପାଖରେ ଥିବା ଝାଡ଼ ଖଣ୍ଡକ ମାଗିଲେ । ସେ ଝାଡ଼ମାନଙ୍କରେ ବହୁତ ଜୀବଜନ୍ତୁଥିବାରୁ ସେଠାରେ ନିଶ୍ଚିନ୍ତରେ ଶୀକାର କରିବାକୁ ତାଙ୍କର ଭାରୀ ମନ ଥାଏ । ନରସିଂହ ଦେଓ ତାହା ଜାଣିପାରି ଆନନ୍ଦରେ ବଳରାମ ଦେଓଙ୍କର ଇଚ୍ଛା ପୂରଣ କଲେ ।

 

ବଳରାମ ଦେଓ ପ୍ରଥମରେ ଯାଇ ବରଗଡ଼ରେ ନିଜର ରାଜଧାନୀ ବସେଇଲେ । ତାଙ୍କ ରାଜ୍ୟର ସୀମା ମହାନଦୀ ପର୍ଯ୍ୟନ୍ତ ଥିଲା । ଦିନେ ସେ ମହାନଦୀ କୂଳକୁ ଶୀକାର ପାଇଁ ଯାଇଥିଲେ-। ନଦୀର ଉତ୍ତର ତୀରରେ ଶୀକାର କଲାବେଳେ ଦେଖିଲେ ତାଙ୍କ ଶୀକାରୀ କୁକୁରକୁ ଗୋଟିଏ ଖରିଆ ତିନି ଚାରିଥର ହଟାଇ ଦେଲା । ସେ ଆଶ୍ଚର୍ଯ୍ୟ ହୋଇଗଲେ, ଭାବିଲେ ଏ ମାଟି ନିଶ୍ଚୟ ବୀରମାଟି, ତା ନ ହେଲେ ଏପରି ବିପରୀତ ଘଟଣା ଘଟନ୍ତା କାହିଁକି ? ରାତ୍ରରେ ଜଣେ ଦେବୀ ତାଙ୍କୁ ସ୍ୱପ୍ନରେ କହିଲେ ଯେ ସେ ସମଲାଈ ଦେବୀ ଅଟନ୍ତି । ନଈକୂଳର ସେମଲି ଗଛମୂଳ ଖୋଳିଲେ ସେ ଦେଖାଦେବେ । ଦେବୀ ଆହୁରି କହିଲେ ସେଠାରେ ଯଦି ସହର ବସାଇ ତାଙ୍କ ନାମ ଅନୁସାରେ ସହରର ନାମ ଦିଆଯାଏ ତେବେ ନିଶ୍ଚୟ ତାଙ୍କର ସବୁଠାରେ ଜୟ ହେବ-

 

ଆଦେଶମତେ ଯାଇ ବଳରାମ ଦେଓ ସେମଲି ଗଛମୂଳରେ ଦେବିଙ୍କି ପାଇଲେ, ଆଉ ସେଠାରେ ଗଡ଼ ବନାଇ ଗଡ଼ର ନାମ ଦେବୀଙ୍କ ନାମ ଅନୁସାରେ ସମ୍ବଲପୁର ଦେଲେ ।

 

ନଦୀର ଉତ୍ତର ତୀରର ରାଜ୍ୟ ସୁରଗୁଜା ରାଜାଙ୍କ ଅଧୀନରେ ଥିଲା । ସୁରଗୁଜା ରାଜା ଏହା ଜାଣି ରାଗି ବଳରାମ ଦେଓଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ । ବଳରାମ ଦେଓ ଯୁଦ୍ଧରେ ସୁରଗୁଜା ରାଜାଙ୍କୁ ହରାଇ ଦେଲେ । ସୁରଗୁଜା ରାଜା ଏପରି କ୍ରସ୍ତ ହୋଇ ପଳେଇଲେ ଯେ ସେ ତାଙ୍କର ଇଷ୍ଟ-ଦେବତା ଅନନ୍ତଶଯ୍ୟା ମୂର୍ତ୍ତିଙ୍କି ନେଇ ପାରିଲେ ନାହିଁ । ସୁରଗୁଜା ରାଜା ବାଧ୍ୟହୋଇ ନିଜ ରାଜ୍ୟର ଦକ୍ଷିଣ ଅଂଶତକ ବଳରାମ ଦେଓଙ୍କ ଛାଡ଼ିଦେଲେ ଆଉ ନିଜର ଝିଅ ସହିତ ବଳରାମଙ୍କ ବିବାହ କରାଇ ସନ୍ତୋଷ କରାଇଲେ ।

 

କଳାପାହାଡ଼ ବଳରାମ ଦେଓଙ୍କ ସମୟରେ ସମ୍ବଲପୁର ଆସି ହାରି ପଳାଇଗଲା । ସେ ପଳେଇଲା ବେଳେ ଛାଡ଼ି ଯାଇଥିବା ବଡ଼ ବଡ଼ ଲୁହା ନାଗରାମାନ ଆଜିକାଲି ମଧ୍ୟ ସମ୍ବଲପୁରର ସମଲେଶ୍ୱରୀ ଗୁଡ଼ିରେ ରଖା ହୋଇଅଛି ।

 

ବଳରାମ ଦେଓ ଗଡ଼ ମଧ୍ୟରେ ସମଲେଶ୍ୱରୀ, ଅନନ୍ତଶଯ୍ୟା, ଆଉ ପାଟଣେଶ୍ୱରୀ ଦେବୀଙ୍କ ଆସ୍ଥାନମାନ କରାଇଥିଲେ ।

 

ସେ ପାଟଣାରୁ ବ୍ରାହ୍ମଣ, କେଉଟ, ଭୁଲିଆ ଓ ଅନ୍ୟାନ୍ୟ କେତେକ ଜାତିର ଲୋକମାନଙ୍କୁ ନେଇ ସମ୍ବଲପୁର ସହରରେ ଡିହମାନ ଦେଇ ରଖି ବସ୍ତି ବଢ଼ାଇଥିଲେ ।

Image

 

ବଳିୟାର ସିଂହ

 

ସମ୍ବଲପୁର ମହାରାଜା ବଳିୟାର ସିଂହ ବଡ଼ ଯୋଦ୍ଧା ଥିଲେ । ବାମଣ୍ଡା ରାଜା ସ୍ୱାଧୀନହେବାର ଯତ୍ନ କରିବାରୁ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ସମ୍ବଲପୁରରେ ବନ୍ଦୀ କଲେ । ତା’ପରେ ବଣେଇ ଜୟ କରି ସେ ଶକ୍ତି ରାଜ୍ୟ ଆକ୍ରମଣ କଲେ ।

 

ବୌଦରାଜା ବଳିୟାର ସିଂହଙ୍କୁ ଅପମାନ ଦେବା ଲାଗି ‘ବଳିୟାର ସିଂହ’ ବୋଲି ଗୋଟିଏ କୁକୁର ପୋଷିଥିଲେ । ଆଜିକାଲି ବୌଦଠାରୁ ସେ ସମୟର ବୌଦ ବହୁତ ବଡ଼ ଥିଲା, ଆଉ ବୌଦଗଡ଼ ବଡ଼ ଶକ୍ତ ଗଡ଼ ଥିଲା । ତେଣୁ ବୌଦରାଜା କାହାକୁ ଡରୁ ନ ଥିଲେ । କୁକୁର ପୋଷା ଖବର ପୁରୀଯାତ୍ରୀ ଜଣେ ଦେଓ୍ୟାନ୍‌ ବଳିୟାର ସିଂହକୁ ଆସି କହିଲେ । ସେ ଏହା ଶୁଣି ରାଗି ବୌଦ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ବୌଦରାଜା ଗଡ଼ଦ୍ୱାର ବନ୍ଦ କରି ରହିଲେ, ବାହାରକୁ ବାହାରିଲେ ନାହିଁ କି ଯୁଦ୍ଧ କଲେ ନାହିଁ ।

 

ବଳିୟାର ସିଂହ ସୈନ୍ୟମାନଙ୍କୁ କାମରେ ଲଗାଇ ମନ ଭୁଲାଇବାକୁ ବଳିୟାର କଟା ବୋଲି ଗୋଟିଏ ବଡ଼ କଟା ଖୋଳାଇଲେ । ସେଠାରେ ସେ ଗୋଟିଏ ବଡ଼ ଆମ୍ବତୋଟା ମଧ୍ୟ ଲଗାଇଲେ । ଆଜି ମଧ୍ୟ ସେ ବୁରାଇ ‘‘ବଳିୟାର ତୋଟା’’ ନାମରେ ପରିଚିତ । ଶେଷରେ ଖାଇବା ପଦାର୍ଥ ସରିଯିବାରୁ ବୌଦରାଜା ଗଡ଼ରୁ ବାହାରିଲେ । ଯୁଦ୍ଧ ହେଲା । ଯୁଦ୍ଧରେ ବୌଦରାଜା ହାରିଯାଇ ବଳିୟାର ସିଂହଙ୍କ ଅଧୀନତା ସ୍ୱୀକାର କଲେ । ବୌଦ ଜିଣି ସାରି ଆଠମଲ୍ଲିକ, ପାଲଲହଡ଼ା, ଦଶପଲ୍ଲା ଆଉ ଖଣ୍ଡପଡ଼ା ରାଜ୍ୟମାନ ଜିଣି ସେ ନିଜ ଅଧୀନ କଲେ ।

 

ତା’ପରେ ସେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଗଲେ । ସେଠାର ରାଜା ତାଙ୍କୁ ବଡ଼ ଆଦର ସମ୍ମାନରେ ଅଭ୍ୟର୍ଥନା କଲେ । ଦିନେ ପୁରୀ ରାଜା ବଳିୟାର ସିଂହଙ୍କୁ ନିମନ୍ତ୍ରଣ କରି ଅନ୍ତଃପୁରକୁ ଡାକି ନେଇଥିଲେ । ସେଠାରେ ପୁରୀ ରାଜା ତାଙ୍କ ସତର୍କତା ପରୀକ୍ଷା କରିବା ପାଇଁ କହିଲେ ‘‘ଏଠାରେ ତୁମ୍ଭଙ୍କୁ କେହି ଯେବେ ମାରି ଦେବାକୁ ଚେଷ୍ଟା କରେ ତେବେ ତୁମ୍ଭେ କିପରି ଆତ୍ମରକ୍ଷା କରିବ ?’’ ବଳିୟାର ସିଂହ ହଠାତ୍‌ ଅଣ୍ଟାରୁ ଆରବ ଦେଶର ଖଣ୍ଡା ବାହାର କରି ବୁଲାଇଲେ, ଆଉ ସେ କହିଲେ ‘‘ସାବଧାନତାର ପରୀକ୍ଷା ସିନା ହେଲା ମାତ୍ର ଶକ୍ତିର ପରୀକ୍ଷା ହେଲା ନାହିଁ ।’’ ପୁରୀ ରାଜା ଗୋଟିଏ ଲୁହାର ମେଣ୍ଢା ଦେଖାଇ ଦେବାରୁ ଖଣ୍ଡାର ଏକ ଆଘାତରେ ସେ ସେହି ଲୁହା ମେଣ୍ଢାର ମୁଣ୍ଡ ଛିଣ୍ଡାଇ ଦେଲେ ।

 

ଏହା ଦେଖି ପୁରୀ ଗଜପତି ରାଜା ବଡ଼ ଖୁସି ହେଲେ ଆଉ ତାଙ୍କୁ ହୀରାଖଣ୍ଡ ଛତ୍ରପତି ମହାରାଜା ଉପାଧି ଦେଲେ ଏବଂ ବ୍ୟବହାର ପାଇଁ ମେଘାଡ଼ମ୍ବର ଛତ୍ର ଦେଲେ । ପୁରୀ ରାଜାଙ୍କର ଗୋଟିଏ ଝିଅ ଥିଲା ତାଙ୍କୁ ସମ୍ବଲପୁର ଯୁବରାଜ ରତ୍ନସିଂହଙ୍କୁ ବିବାହ କରାଇଲେ ।

 

ପୁରୀରେ ରହିଲାବେଳେ ତାଙ୍କୁ କେତେକ କରଣ ରସଦ ଦେଉଥିଲେ । ସେ ସେମାନଙ୍କ କାର୍ଯ୍ୟରେ ଭାରୀ ଖୁସି ହୋଇଥିଲେ । ଫେରିଲାବେଳେ ବଳିୟାର ସିଂହ ଗଜପତିଙ୍କୁ କେତେ ଘର କରଣ ଆଉ କେତେ ଘର ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ । ଗଜପତି ତହିଁରେ ସମ୍ମତ ହେବାରୁ ସେ ତା’ ବଦଳରେ ଦଶପଲ୍ଲା ଓ ଖଣ୍ଡପଡ଼ା ରାଜ୍ୟ ଦୁଇଖଣ୍ଡ ଦେଇଥିଲେ-

 

ସେ ପୁରୀରୁ ଫେରି ‘‘ହୀରାଖଣ୍ଡ-ଛତ୍ରପତି-ମହାରାଜ, ଅଠର ଗଡ଼ର ମହୁଡ଼ ମଣି’’ ଉପାଧି ଗ୍ରହଣ କରିଥିଲେ ।

Image

 

ଦେଓ୍ୟାନ ଅକ୍‌ବର ରାଏ

 

ଅକ୍‌ବର ରାଏ କୋଡ଼ିଏ ବର୍ଷରୁ ଅଧିକ ସମୟ ସ୍ୱାଧୀନ ସମ୍ବଲପୁର ରାଜ୍ୟର ଦେଓ୍ୟାନ୍‌ ଥିଲେ ।

 

ମହାରାଜା ଅଜିତ ସିଂହ ବଡ଼ ମୁହଁ-ବୋଧିଆ ଲୋକ ଥିଲେ । ତେଣୁ ତାଙ୍କ ସମୟରେ ରାଜ୍ୟର କ୍ଷମତା ପାଇଁ ବହୁତ ଗୋଳମାଳ ହେଉଥିଲା । ପିଲେ ରାଏ ନାମକ ଜଣେ ଲୋକ ଦେଓ୍ୟାନ୍‌ ହେବାକୁ ଇଚ୍ଛା କରି ଦକ୍ଷିଣ ରାଏ ଦେଓ୍ୟାନଙ୍କୁ ମରାଇ ଦେଇଥିଲେ । କାସ୍କ୍ରୀ ବୋଲି ଜଣେ ରାଜକର୍ମଚାରୀ ଦକ୍ଷିଣ ରାଏଙ୍କୁ ସାହାଯ୍ୟ କରୁଥିଲେ । ପିଲେ ରାଏ କାସ୍କ୍ରୀଙ୍କୁ ମଧ୍ୟ ମରାଇ ଦେଲେ, ଆଉ ନିଜେ ଦେଓ୍ୟାନ୍‌ ହେଲେ ।

 

କେତେ ଦିନ ପରେ କାସ୍କ୍ରୀଙ୍କ ଭାଇ ଅକ୍‌ବର ରାଏ ପିଲେ ରାଏଙ୍କୁ ମରାଇ ଦେଇ ନିଜେ ଦେଓ୍ୟାନ୍‌ ହେଲେ ।

 

ତା’ପରେ ଅକବର ରାଏ ନିଜ ହାତରେ ସବୁ କ୍ଷମତା ରଖିଲେ । ମହାରାଜା ଅଜିତ ସିଂହ ନାମକୁ ମାତ୍ର ମହାରାଜା ହୋଇ ରହିଲେ । କେତେ ଦିନ ପରେ ଅଜିତ ସିଂହଙ୍କୁ କିଏ ବିଷ ଦେଇ ମାରିଦେଲା ।

 

ଅଜିତ ସିଂହ ମଲାବେଳେ ପୁଅ ଅଭୟ ସିଂହଙ୍କୁ, ଅକବର ରାଏଙ୍କୁ ବିଶ୍ୱାସ ନ କରିବାକୁ କହି ଯାଇଥିଲେ । ତେଣୁ ଅଭୟ ସିଂହ ରାଜା ହେଲାକ୍ଷଣି ଅକବର ରାଏଙ୍କୁ ଦେଓ୍ୟାନ୍‌ କାମରୁ ଅନ୍ତର କରି କୃଷ୍ଣ ବଡ଼ ମଲ୍ଲିକଙ୍କୁ ଦେଓ୍ୟାନ୍‌ କଲେ । କେତେ ଦିନ ଗଲା ପରେ ଅକବର ରାଏ ସୈନ୍ୟମାନଙ୍କୁ ମେଳି କରି କୃଷ୍ଣ ବଡ଼ମଲ୍ଲିକଙ୍କୁ ବନ୍ଦୀ କଲେ, ଆଉ ନିଜେ ଦେଓ୍ୟାନ୍‌ ହେଲେ ।

 

ସେ ଦେଓ୍ୟାନ୍‌ ହୋଇ ପୁଣି ରାଜ୍ୟର ସମସ୍ତ କ୍ଷମତା ନିଜ ହାତରେ ରଖିଲେ । ରାଜା ଅଭୟ ସିଂହ କିଛି କରି ନ ପାରି କେବଳ ମଜାମଜଲିସରେ ମାତି ମନ ଭୁଲାଇବାକୁ ଯତ୍ନ କଲେ । ଥରେ ପଶ୍ଚିମ ଦେଶରୁ କାଶୀରାମ ବୋଲି ଜଣେ ନାଟୁଆ ଆସିଥିଲା । ସେ ଅଭୟ ସିଂହ ମହାରାଜାଙ୍କୁ ଖୁସି କରି ତାଙ୍କ ପାଖରୁ ଦୁଇଲକ୍ଷ ଟଙ୍କା ଧରି ନିଜ ଦେଶକୁ ଫେରି ଯାଉଥିଲା । ଦେଓ୍ୟାନ୍‌ ଅକବର ରାଏଙ୍କ ଲୋକ ଆଗରୁ ଯାଇ ତାକୁ ବାଟରେ ଜଗିଥିଲେ । ସେମାନେ ସେ ନାଟୁଆକୁ ପ୍ରାଣଭୟ ଦେଖାଇ ତାହାଠାରୁ ଟଙ୍କାତକ ଛଡ଼ାଇ ନେଲେ, ଆଉ ଅଳ୍ପ ଟଙ୍କା ଦେଇ ବିଦାୟ କରିଦେଲେ । ଛଡ଼ାଇ ଆଣିଥିବା ଟଙ୍କା ପୁଣି ଖଜଣାରେ ଜମା କରି ଦିଆଗଲା ।

 

ଏ ଘଟଣାର ଠିକ୍‌ ପରେ ରତନପୁରରୁ ଜଣେ ସେନାପତି ଅନେକ ସୈନ୍ୟ ଧରି ସମ୍ବଲପୁର ଆସି ଦୁଇଲକ୍ଷ ଟଙ୍କା ନ ଦେଲେ ଯୁଦ୍ଧ କରିବାକୁ ଡରାଇଲା । ଦେଓ୍ୟାନ୍‌ ଅକବର ରାଏ ତାକୁ ଅଳ୍ପ କିଛି ଟଙ୍କା ଦେଇ ବିଦାୟ କରିଦେଲେ

 

ଖିଣ୍ଡା ଆଉ କୁଡ଼େବଗାର ଜମିଦାର ଓ ବାଗ ବିଶ୍ୱମ୍ଭର ବକ୍‍ସି ବୋଲି ଜଣେ କରଣ ଅନେକ ଲୋକଙ୍କୁ ମେଳିକରି ଅଭୟ ସିଂହଙ୍କ ଭାଇ ଜୟନ୍ତ ସିଂହଙ୍କୁ ସିଂହାସନରେ ବସାଇବାକୁ ଯତ୍ନ କଲେ । ସେମାନେ ବାମଣ୍ଡା ଆଉ ଗାଙ୍ଗପୁର ସୀମାରେ ଦଳଦଳି ପର୍ବତ ଉପରେ ଗଡ଼ କରି ରାଜ୍ୟର ଚାରିଆଡ଼େ ଲୁଟ୍‌ପାଟ୍‌ କଲେ । ଅକବର ରାଏ ସମସ୍ତ ବକ୍‌ସିମାନଙ୍କୁ ଚାଲାକି କରି ଡାକି ଆଣି ଗୋଟିଏ କୋଠାରୀ ଭିତରେ ବନ୍ଦ କରିଦେଲେ । ସେ କୋଠରୀର କବାଟ ଦି୨୧ନ ପରେ ଖୋଲାଗଲା । ସେତେବେଳକୁ ସବୁ ବକ୍‌ସି ମରି ଯାଇଥିଲେ । ଜୟନ୍ତ ସିଂ ପ୍ରାଣଭୟରେ ପଳାଇ ଯାଇ ମଣ୍ଡଳାରେ ନୌକରୀ କଲେ ।

 

ନାଗପୁରର ମରହଟ୍ଟାମାନେ ସମ୍ବଲପୁର (...) ନଦୀରେ କଟକକୁ କେତେଗୁଡ଼ିଏ ତୋପ ପଠାଉଥିଲେ । ସମ୍ବଲପୁରଠାରୁ ବୌଦ ପର୍ଯ୍ୟନ୍ତ ନଦୀରେ ଅନେକ ପଥର ପଡ଼େ । ତେଣୁ ମରହଟ୍ଟାମାନେ ସମ୍ବଲପୁରର କେଉଟମାନଙ୍କୁ ଡଙ୍ଗାସବୁ ବାହି ନେବାକୁ ନିଯୁକ୍ତି କରିଥିଲେ । ଅକବର ରାଏ କେଉଟଙ୍କ ସଙ୍ଗେ ଗୁପ୍ତ ପରାମର୍ଶ କରି ଡଙ୍ଗା ସବୁକୁ ଗୁମ୍‍ଦର୍ହରେ ବୁଡ଼ାଇ ଦେଲେ । ଖରାଦିନରେ ସେ ତୋପ ସବୁକୁ ବାଲି ଭିତରୁ କାଢ଼ି ସମ୍ବଲପୁର ଦୁର୍ଗର କାନ୍ଥ ଉପରେ ବସାଇଲେ-। ପରେ ଯେତେବେଳେ ନାଗପୁର ସୈନ୍ୟମାନେ ସମ୍ବଲପୁର ଆକ୍ରମଣ କଲେ ସେତେବେଳେ ସେହି ତୋପଗୁଡ଼ିକର ସାହାଯ୍ୟରେ ସେମାନଙ୍କୁ ହରାଇ ଦେଲେ ।

 

ମହାରାଜା ଅଭୟ ସିଂହଙ୍କ ମାଆ ଅନେକ ସମୟରେ ଅକବର ରାଏଙ୍କ ବିଚାରରେ ଅସନ୍ତୋଷ ହେଉଥିବା ଲୋକଙ୍କୁ ସାହାଯ୍ୟ କରୁଥିଲେ । ଏ ସବୁ କଥା ଅକବର ରାଏ ସହି ପାରୁ ନ ଥିଲେ । ଥରେ ସେ ରାଗି ଯାଇ ଅନେକ ସୈନ୍ୟ ଧରି ରାଜବଖରୀ ଭିତରକୁ ପଶିଗଲେ ଆଉ ରାଜମାତା ଗୋସାଣୀଙ୍କୁ ହତ୍ୟା କରିଦେଲେ ।

 

ଅଭୟ ସିଂହଙ୍କୁ ମହାରାଜା ହୋଇ ମଧ୍ୟ ଏ ସବୁ ସହିବାକୁ ପଡ଼ୁଥିଲା । କାରଣ ଅକବର ରାଏ ରାଜ୍ୟର ଉଚ୍ଚସ୍ଥାନମାନଙ୍କରେ ନିଜ ହାତର ଲୋକମାନଙ୍କୁ ରଖାଇଥିଲେ ଆଉ ସେମାନେ ମହାରାଜାଙ୍କୁ ନ ମାନି ଦେଓ୍ୟାନଙ୍କୁ ମାନୁଥିଲେ ।

 

ନିଜର ଜନ୍ମଦାତା ମା ଏପରି ଭାବରେ ହାଣ ଖାଇଲା ପରେ ମହାରାଜା ଦେଓ୍ୟାନଙ୍କ ମୁହଁ ଦେଖିବି ନାହିଁ ବୋଲି ପ୍ରତିଜ୍ଞା କଲେ । ସେହିଦିନଠାରୁ କାର୍ଯ୍ୟ ପଡ଼ିଲେ ସେ ଦୁହିଁଙ୍କ ମଧ୍ୟରେ ପରଦା ପଡ଼ୁଥିଲା । ପରଦାର ଗୋଟିଏ ପାଖରେ ରଜା ଓ ଆର ପାଖରେ ଦେଓ୍ୟାନ ରହୁଥିଲେ, ଆଉ କଥାବାର୍ତ୍ତା ହୋଇ ରାଜ୍ୟ ଚଳାଉଥିଲେ । ଏପରି ଭାବରେ ବଞ୍ଚି ରହିବା ଅଭୟ ସିଂହଙ୍କ ପକ୍ଷରେ ବଡ଼ କଷ୍ଟକର ହେଲା । ତେଣୁ ସେ ଚିନ୍ତା କରି କରି ଅଳ୍ପଦିନରେ ମରିଗଲେ ।

 

ଅଭୟ ସିଂହଙ୍କର ପୁଅ ଝିଅ କେହି ନ ଥିଲେ । କିନ୍ତୁ ତାଙ୍କ ଭାଇ ମଣ୍ଡଳାରେ ଥାନ୍ତି । ଅକବର ରାଏ ପ୍ରକୃତ ଦାବୀଦାରମାନଙ୍କ ମଧ୍ୟରୁ କେହି ରାଜା ହେଲେ କାଳେ ତାଙ୍କୁ ମାନିବେ ନାହିଁ ବୋଲି ଭାବି ବଳଭଦ୍ର ସାଏ ବୋଲି ଜଣେ ନାଁବାଳକକୁ ସିଂହାସନରେ ବସେଇଲେ । ବଳଭଦ୍ର ସାଏ ନିତାନ୍ତ ପିଲା ଥିବାରୁ ଅକବର ରାଏ ନିଜ ଇଚ୍ଛା ଅନୁସାରେ ରାଜ୍ୟ ଚଳାଇଲେ ।

 

କେତେଦିନ ଗଲାପରେ ସାରଙ୍ଗଗଡ଼ର ରାଜାଙ୍କ ସାହାଯ୍ୟ ପାଇ ଜୟନ୍ତ ସିଂହ ଅନେକ ସୈନ୍ୟ ନେଇ ସମ୍ବଲପୁର ଆସିଲେ । ଅକବର ରାଏ ଦେଖିଲେ ସମ୍ବଲପୁରରେ କେହି ତାଙ୍କୁ ଭଲ ପାଉ ନାହାନ୍ତି । ତେଣୁ ସେ ଯୁଦ୍ଧ ନ କରି ଅନେକ ସୁନା ମୋହର ନେଇ ଜୟନ୍ତ ସିଂହଙ୍କୁ ଭେଟିଲେ-

 

ଜୟନ୍ତ ସିଂହ ତାଙ୍କୁ ସଙ୍ଗରେ ନେଇ ଗଡ଼ ଭିତରେ ପଶିଲେ । ଆଉ ସିଂହାସନରେ ବସି ଅଭିଷେକ ହେଲେ ।

 

ସାରଙ୍ଗଗଡ଼ର ରାଜା ତାଙ୍କୁ ସାହାଯ୍ୟ ଦେଇଥିବାରୁ ଜୟନ୍ତ ସିଂହ ତାଙ୍କୁ ପୁରସ୍କାର ଯାଚିଲେ । ସେ ନିଜ ରାଜ୍ୟକୁ ଲାଗିଥିବା ସରିଆ ପ୍ରଗଣା ମାଗିଲେ । କିନ୍ତୁ ଅକବର ରାଏ ତାହା ଦେବାକୁ ନାହିଁ କଲେ । କେତେଦିନ ଗଲାପରେ ପୁଣି ସାରଙ୍ଗଗଡ଼ ରାଜାଙ୍କୁ ମହାରାଜା ଜୟନ୍ତ ସିଂହ ପୁରସ୍କାର ଯାଚିଲେ । ଏଥର ସାରଙ୍ଗଗଡ଼ର ରାଜା ଅକବର ରାଏଙ୍କ ଛିନ୍ନମୁଣ୍ଡ ମାଗିଲେ ।

 

ମହାରାଜା ସେନାପତି ଫକୀର ସିଂହଙ୍କୁ ରାଜାଦେଶ ଅବମାନନା ଅପରାଧରେ ଅକବର ରାଏଙ୍କୁ ପ୍ରାଣଦଣ୍ଡ ଦେବାକୁ ଆଦେଶ ଦେଲେ । ଫକୀର ସିଂହ ମହାରାଜାଙ୍କ ଆଦେଶ ପାଳନ କଲେ ।

Image

 

ଗଙ୍ଗାଧର ମିଶ୍ର

 

ସମ୍ବଲପୁର ମହାରାଜା ରତନ ସିଂହଙ୍କ ସମୟରେ ଗଙ୍ଗାଧର ମିଶ୍ର ବୋଲି ଜଣେ ବଡ଼ କବି ଥିଲେ । ସେ ଶମ୍ଭୁକର ଭରଦ୍ୱାଜ ମିଶ୍ର ବଂଶରେ ଜନ୍ମ ହୋଇଥିଲେ ।

 

ସେ ‘‘କୋଶଳାନନ୍ଦ’’ ବୋଲି ଗୋଟିଏ କାବ୍ୟ ସଂସ୍କୃତ ଭାଷାରେ ଲେଖି ଅଛନ୍ତି । ସେ କାବ୍ୟରେ ଚମେଇ ଦେଓଙ୍କ ସମୟରୁ ନରସିଂହ ଦେଓଙ୍କ ସମୟ ପର୍ଯ୍ୟନ୍ତ ପାଟଣାର ମହାରାଜାମାନଙ୍କ ବିଷୟର ବର୍ଣ୍ଣନା ହୋଇଅଛି । ଆଉ ବଳିଆର ସିଂହଙ୍କ ଠାରୁ ରତନ ସିଂହଙ୍କ ପର୍ଯ୍ୟନ୍ତ ସମ୍ବଲପୁରର ମହାରାଜାଙ୍କ ବିଷୟ ଲେଖା ହୋଇଅଛି । ସେ ସମୟରେ ଯଦି ଏ କବି କାବ୍ୟ ଖଣ୍ଡିକ ଲେଖି ନ ଥାନ୍ତେ ତେବେ ଆମେ ସେ ମହାରାଜାମାନଙ୍କ ସମ୍ବନ୍ଧରେ ଅନେକ ବିଷୟ ଜାଣି ପାରି ନ ଥାନ୍ତୁ । ଏ କାବ୍ୟର ଭାଷା ମଧ୍ୟ ବଡ଼ ସୁନ୍ଦର । ଶ୍ଳୋକଗୁଡ଼ିକ ଏତେ ମଧୁର ଯେ ସଂସ୍କୃତର ଯେ କୌଣସି ବଡ଼ କବିଙ୍କ ଲେଖା ସହିତ ତହିଁର ତୁଳନା ହୋଇପାରେ । ସେ ଗ୍ରନ୍ଥରେ ଅନେକ ପ୍ରାକୃତିକ ବର୍ଣ୍ଣନା, ସାମାଜିକ ବିଷୟର ବର୍ଣ୍ଣନା ଅଛି । ଯୁଦ୍ଧ ବର୍ଣ୍ଣନାମାନଙ୍କରୁ ସେ ସମୟରେ ଯୁଦ୍ଧରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ବିଷୟ ଜାଣିହୁଏ ।

 

ମହାରାଜା ରତନସିଂହ କବିଙ୍କୁ କନ୍ଧପାଲି ବୋଲି ଗୋଟିଏ ଗାଁ ମାଫି ଦେଇଥିଲେ ।

 

କବି ଆଉ କୌଣସି ପୁସ୍ତକ ଲେଖିଛନ୍ତି କି ନାହିଁ ତାହା ଜଣା ପଡ଼ି ନାହିଁ ।

Image

 

ସୋନପୁର

 

ସୋନପୁର କୋଶଳର ଗୋଟିଏ ବଡ଼ ପ୍ରାଚୀନ ସହର । ବହୁତ ଦିନ ଆଗେ ଏ ସହର ନ ଥାଇ ଆଜି କାଲି ଯେଉଁଠାରେ ସହର ଅଛି ସେଠାରେ ଗୋଟିଏ ଛୋଟ ଗାଁ ଥିଲା । ସେ ଗାଁରେ ଜଣେ ତେଲି ମହାଜନ ରହୁଥିଲେ । ସେ ବଡ଼ ଶିବଭକ୍ତ ଥିଲେ ।

 

ଥରେ ସେ ବହୁତ ଗୁଡ଼ିଏ ଲଦା ବଳଦ ଧରି ତେଲ ନଦୀ ଆର ପାରିକି ବେପାର କରିବାକୁ ଯାଉଥିଲେ । ବାଟରେ ଯାଉ ଯାଉ ଭାରି ବର୍ଷା ହେଲା । ଗାଁ ଗଣ୍ଡା ପାଖରେ ନ ଦେଖି ସେ ଗୋଟିଏ ବରଗଛ ମୂଳରେ ଯାଇ ଆଶ୍ରୟ ନେଲେ ।

 

ବରଗଛ ମୂଳରେ ଶିବଲିଙ୍ଗ ପରି ପଥର ଖଣ୍ଡେ ପଡ଼ିଥାଏ । ଦୈବଯୋଗେ ସେତେବେଳେ ସେ ମାଲ ଭରିଥିବା କେତେଗୋଟି ବସ୍ତାର ସୂତା ଛିଣ୍ଡିଯିବାରୁ ବସ୍ତାର ମୁହଁମାନ ପୁଣି ଥରେ ଭଲ କରି ଟିପି ଦେବାପାଇଁ ଡାମ୍ଫଣ ଓ ସୂତା ବାହାର କରି ଡାମ୍ଫଣ ଗୋଜିଆ କରିବାକୁ ସେହି ପଥର ଉପରେ ଘଷି ବସିଲେ । ଘଷୁ ଘଷୁ ଡାମ୍ଫଣଟି ସୁନା ହୋଇଗଲା । ଏହା ଦେଖି ମହାଜନ ନିଜ ପାଖରେ ଥିବା ସବୁ ଲୁହା ଜିନିଷଯାକ ନେଇ ଗୋଟି ଗୋଟି କରି ସେହି ପଥର ଖଣ୍ଡକରେ ଛୁଆଁଇଲେ । ସବୁଯାକ ସୁନା ହୋଇଗଲା ।

 

ମହାଜନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ଆଉ ବଣିଜ କରିଯିବେ କଅଣ - ସେହିଠାରୁ ଘରକୁ ଫେରି ଅଇଲେ । ସେଦିନ ରାତିରେ ତାଙ୍କୁ ସ୍ୱପ୍ନ ହେଲା ଯେ ‘‘ସେ ପଥର ଖଣ୍ଡି ନିଜେ ସୁବର୍ଣ୍ଣ - ମେରୁ । ବୌଦ୍ଧଙ୍କ ରାଜ୍ୟରେ ତାଙ୍କୁ କେହି ପୂଜା କରୁ ନାହାନ୍ତି । ତେଣୁ ତୁମ୍ଭେ ସୁବର୍ଣ୍ଣମେରୁ ମହାଦେବଙ୍କର ଆଦେଶ ବୋଲି ସୋମବଂଶୀ ରାଜାଙ୍କୁ ଯାଇ ଜଣାଅ ।’’

 

ରାତି ପାହିଲାରୁ ମହାଜନ ରାଜାଙ୍କ ପାଖକୁ ଯାଇ ଏ ସବୁ କଥା କହିଲା । ରାଜା ଆଗ୍ରହରେ ଯାଇ ବରଗଛ ମୂଳରୁ ସୁବର୍ଣ୍ଣମେରୁଙ୍କୁ ଆଣି ତେଲ ନଦୀର ଏ ପାରିରେ ଅର୍ଥାତ୍‌ ଉତ୍ତର-ଖଣ୍ଡିରେ ଥାପନା କଲେ । ପୂଜା ସେବାର ସବୁ ଯୋଗାଡ଼ କରିଦେଲେ । ସେଦିନ ସେଠାରେ ସୁନାବୃଷ୍ଟି ହେଲା । ଆଜିକାଲି ମଧ୍ୟ ଲୋକେ ସମୟ ସମୟରେ ସେ ସୁନାରୁ ଖଣ୍ଡେ ଖଣ୍ଡେ ବିଭିନ୍ନ ସ୍ଥାନମାନଙ୍କରୁ ପାଉଥିବାର ଜଣାଯାଏ ।

 

ରାଜା ମହାଦେବଙ୍କ ନାଁ ଅନୁସାରେ ସେଠାରେ ସୁବର୍ଣ୍ଣପୁର ବୋଲି ସହର ବସାଇଲେ ।

 

କେତେଶହ ବର୍ଷା ଗଲା ପରେ ପାଟଣାର ମହାରାଜା ପ୍ରଥମ ବୈଜଳ ଦେଓ ଏ ମହାଦେବଙ୍କ ପାଇଁ ଗୋଟିଏ ପଥରର ଦେଉଳ ତୋଳାଇଲେ । ସେ ଦେଉଳ ଆଜି ପର୍ଯ୍ୟନ୍ତ ରହିଅଛି ।

 

ଏ ସୁବର୍ଣ୍ଣପୁର ସହରରୁ ଜନମେଜୟ, ଯଯାତି ଆଦି ସୋମବଂଶୀ ରାଜାମାନେ ଅନେକ ତମ୍ବାପଟା ଦାନ ବ୍ରାହ୍ମଣମାନଙ୍କୁ ଦେଇଥିଲେ ।

 

ଚୌହାନ୍‌ ରାଜତ୍ୱରେ ପାଟଣା ମହାରାଜାମାନଙ୍କର ଏ ସହର ସ୍ୱାସ୍ଥ୍ୟନିବାସ ଥିଲା । ସହରର ଶାସନକାର୍ଯ୍ୟ ଜଣେ ଗଡ଼ତିଆ ଚଳାଉଥିଲେ ।

 

ସମ୍ବଲପୁର ମହାରାଜା ପୁଅ ମଦନ ଗୋପାଳଙ୍କୁ ଉଫୁଲା ଦେଶ ଦେଇଥିଲେ । ସୋନପୁର ତହିଁର ରାଜଧାନୀ ହେବାଭଳି ଉପଯୁକ୍ତ ସ୍ଥାନ ଜାଣି ସମ୍ବଲପୁରକୁ ତାହା ଦେଇଦେବା ପାଇଁ ପାଟଣା ମହାରାଜାଙ୍କୁ ବହୁତ ଅନୁରୋଧ କଲେ । ପାଟଣା ମହାରାଜା ତହିଁରେ ରାଜି ହେବାରୁ ସେ ସୋନପୁର ଅଧିକାର କଲେ । ସେ ସମୟରେ ସେଠାର ଗଡ଼ତିଆ ଡୋମଗଣ୍ଡ ଥାଆନ୍ତି । ଡୋମଗଣ୍ଡ ମଧୁକର ସାଏଙ୍କୁ ନ ମାନିବାରୁ ଦୁହିଁଙ୍କ ଭିତରେ ଯୁଦ୍ଧ ହେଲା । ଯୁଦ୍ଧରେ ଡୋମଗଣ୍ଡ ପରାସ୍ତ ଓ ନିହତ ହେଲେ ।

 

ସେଦିନ ଠାରୁ ସୋନପୁର ସହର ଉଫୁଲା ଦେଶର ରାଜଧାନୀ ହେଲା । ଆଉ ରାଜଧାନୀର ନାଁ ଅନୁସାରେ ଦେଶର ନାଁ ସୋନପୁର ରାଜ୍ୟ ହେଲା ।

 

ଏ ସହରରେ ସୋନପୁରର ଚୌହାନ ରାଜାମାନେ ଅନେକ ସୁନ୍ଦର ସୁନ୍ଦର ଦେଉଳ ତୋଳାଇ ଅଛନ୍ତି ।

Image

 

ମଦନ ଗୋପାଳ ଓ ବଂଶୀ ଗୋପାଳ

 

ସମ୍ବଲପୁର ମହାରାଜା ମଧୁକର ସାଏଙ୍କ ପାଞ୍ଚ ପୁଅ ଥିଲେ । ଜ୍ୟୋଷ୍ଠ ବଳିୟାର ସିଂହ ସମ୍ବଲପୁର ମହାରାଜା ହେଲେ । ମଦନ ଗୋପାଳ ଓ ବଂଶୀ ଗୋପାଳ ଦୁଇ ଭାଇ ଉଫୁଲା ଇଲାକା ପାଇଲେ । ଅନିରୁଦ୍ଧ ସାଏ ଖିଣ୍ଡା ପ୍ରଗଣା ପାଇଲେ ।

 

ଉଫୁଲା ଦେଶର ରାଜଧାନୀ ସୋନପୁର ସହରରେ କରି ମଦନ ଗୋପାଳ ସେ ରାଜ୍ୟ ଶାସନ କଲେ ।

 

ବଂଶୀ ଗୋପାଳ ପରମବୈଷ୍ଣବ ଥିଲେ । ସେ ସୋନପୁରରେ ଗୋପାଳଜୀ ମନ୍ଦିର ନିର୍ମାଣ କରି ରାଧାକୃଷ୍ଣ ମୂର୍ତ୍ତି ବସାଇଥିଲେ ଆଉ ପାଇଥିବା ଗ୍ରାମମାନ ତାଙ୍କୁ ଚଢ଼େଇ ଦେଇଥିଲେ-। ସମ୍ବଲପୁରରେ ଅନନ୍ତଶଯ୍ୟା ମନ୍ଦିର ଆଉ ଗୋପାଳଜୀ ମଠ ତାଙ୍କ ଆଦେଶରେ ତିଆରି ହୋଇଥିଲା ।

 

ସେ ଶେଷ ଜୀବନ ପୁରୀରେ କଟାଇଥିଲେ । ସେଠାରେ ରାମଜୀ ମଠ ତିଆରି କରି ପବିତ୍ର ଜୀବନଯାପନ କରିଥିଲେ ।

 

ମଦନ ଗୋପାଳ ମଧ୍ୟ କମ୍‌ ଧାର୍ମିକ ନ ଥିଲେ । ସେ ସବୁବେଳେ ଭାଇ ବଂଶୀ ଗୋପାଳଙ୍କୁ ତାଙ୍କ ଧର୍ମ କାର୍ଯ୍ୟରେ ସାହାଯ୍ୟ ଦେଉଥିଲେ । ପୁରୀ ରାମଜୀ ମଠକୁ ମଧ୍ୟ ସୋନପୁରର କେତେ ଗାଁ ଦେବା କଥା ସେ ଆନନ୍ଦରେ ନୁମୋଦନ କରିଥିଲେ ।

 

ମଦନ ଗୋପାଳଙ୍କ ନାଁ ସୋନପୁର ରାଜ୍ୟ ଜୀବିତ ରଖିଅଛି । ଆଉ ବଂଶୀ ଗୋପାଳଙ୍କ କୀର୍ତ୍ତି ମଧ୍ୟ ଆଜି ପର୍ଯ୍ୟନ୍ତ ଲୋପ ପାଇ ନାହିଁ ।

Image

 

ରାଣୀ ଗୁଣ୍ଡିଚା ଦେଈ

 

ସୋନପୁର ଅଧିପତି ନୀଳାଦ୍ରିନାଥଙ୍କ ମାତା ଗୁଣ୍ଡିଚା ଦେୀଙ୍କ ସ୍ଥାନ କୋଶଳ ଇତିହାସରେ ଅତି ଉଚ୍ଚରେ ।

 

ପତି ପୃଥ୍ୱୀସିଂହ ଦେଓ ମରହଟ୍ଟା ଅତ୍ୟାଚାରରେ ମ୍ରିୟମାଣ ହୋଇ ରାଜ୍ୟକୁ ଫେରିଲା ପରେ ରାଜ୍ୟର ଉତ୍ତରାଧିକାରୀ ପାଇଁ ଗୁଣ୍ଡିଚା ଦେଈଙ୍କୁ ବିବାହ କରିଥିଲେ ।

 

ରାଣୀ ହୋଇ ଗୁଣ୍ଡିଚା ଦେଈ ଦେଖିଲେ ଯତ୍ନର ଅଭାବରୁ ରାଜ୍ୟର ସମସ୍ତ ବିଷୟ ଛାରଖାର ହୋଇ ଯାଇଅଛି । ପୃଥ୍ୱୀ ଦେଓଙ୍କ ମନ ଶାସନ କାର୍ଯ୍ୟରେ ଯାଉନାହିଁ । ନିଜର ଅସାଧାରଣ ବୁଦ୍ଧି ବଳରେ ସେ ଦେଖିଲେ ନିଜେ ଯଦି ଧ୍ୟାନ ନ ଦିଅନ୍ତି ତେବେ ରାଜ୍ୟ ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଛାରଖାର ହୋଇଯିବ । ତେଣୁ ସେ ରାଜ୍ୟର ଉପଯୁକ୍ତ ପରିଚାଳନା ପାଇଁ ନିଜର ସ୍ୱାମୀଙ୍କୁ ଏଡ଼େ ସୁନ୍ଦର ପରାମର୍ଶ ଦେଲେ ଯେ ପୁଣି ଅଚିରେ ରାଜ୍ୟକୁ ସୁଖ ଶାନ୍ତି ଫେରିଆସିଲା ।

 

ଗୁଣ୍ଡିଚା ଦେବୀଙ୍କର ଧର୍ମ କାର୍ଯ୍ୟରେ ଭାରି ନିଷ୍ଠା ଥିଲା । ସୋନପୁର ସହରରେ ଦେଉଳ ଯାହାକୁ ଯେତେ । ତେବେ ଗୁଣ୍ଡିଚା ଦେବୀ ଯେଉଁ ନରସିଂହ ମନ୍ଦିର ସୋନପୁରର ବଡ଼ପଡ଼ାରେ ତୋଳାଇଛନ୍ତି ତାଠୁଁ କୌଣସି ଦେଉଳ ବେଶୀ ଉଚ୍ଚ ନୁହେଁ । ଗୁଣ୍ଡିଚା ଦେବୀଙ୍କ ନାମ ଚିରଦିନ ଅମର ରଖିବା ପାଇଁ ଲୋକେ ସେ ଦେଉଳକୁ ଗୁଣ୍ଡିଚାଗୁଡ଼ି କହନ୍ତି । ଏବେ ରଥଯାତ୍ରା ସମୟରେ ସେ ଦେଉଳ ଜଗନ୍ନାଥଙ୍କ ମାଉସୀ ଘର ଭାବରେ ମଧ୍ୟ ବ୍ୟବହାର କରାଯାଉଅଛି ।

 

ପୁତ୍ର ନୀଳାଧର ସିଂହ ଦେଓ ଚାରିବର୍ଷର ବାଳକ ଥିବା ଅବସ୍ଥାରେ ଗୁଣ୍ଡିଚା ଦେଈ ପତିହୀନା ହେଲେ । ସେ ସମୟକୁ ଆଜି କାଲି ପରି ଇଂରେଜ ଶାସନ ଦୃଢ଼ ହୋଇ ନ ଥିଲା । ରାଜ୍ୟରେ ନାନାଦି ଅଶାନ୍ତି ଥିଲା ।

 

ରାଣୀ ରାଜ୍ୟର ସମସ୍ତ ଶାସନଭାର ନିଜ ହାତରେ ରଖି ଅତି ସୁନ୍ଦର ଭାବରେ ଶାସନ କାର୍ଯ୍ୟ ଚଳାଇଲେ ।

 

ପୁଅ ନୀଳାଧର ଭବିଷ୍ୟତରେ ଯେପରି ଶାସନ କାର୍ଯ୍ୟର ଉପଯୁକ୍ତ ହେବେ ତହିଁର ମଧ୍ୟ ସୁବନ୍ଦୋବସ୍ତ ସେ କରିଥିଲେ । ମା ମାନେ ନିଜର ଅତି ଅଧିକ ସ୍ନେହ ହେତୁରୁ ପୁଅକୁ କୌଣସି ପରିଶ୍ରମ କରାନ୍ତି ନାହିଁ । ରାଣୀ, ପୁଅ କିପରି ଉପଯୁକ୍ତ ଯୋଦ୍ଧା ହୋଇପାରିବ ସେଥିପାଇଁ କୁସ୍ତି କସରତ ଶିକ୍ଷାର ବନ୍ଦୋବସ୍ତ କରିଥିଲେ । କୋଡ଼ିଏ ବର୍ଷ ବୟସ ହେଲାବେଳକୁ ନୀଳାଧରଙ୍କ ସଙ୍ଗରେ ଲଢ଼ି ପାରିବା ଭଳି ଉପଯୁକ୍ତ ଲୋକ ଏ ଅଞ୍ଚଳରେ କେହି ନ ଥିଲେ ।

 

ପୁଅ ଯେପରି ସମସ୍ତ ବିଦ୍ୟା ଶିଖିବେ ସେଥିପାଇଁ ଗୁଣ୍ଡିଚା ଦେବୀ ଅନେକ ପଣ୍ଡିତଙ୍କୁ ନିଯୁକ୍ତ କରିଥିଲେ । ସେତେବେଳେ ଇଂରାଜୀ ଶିକ୍ଷା ଏ ଦେଶରେ ସ୍ୱପ୍ନ ଥିଲା । ଯୁବରାଜ ଇଂରେଜୀ ପଢ଼ି କିପରି ନୂଆ କଥା ଶିଖିବେ ସେଥିପାଇଁ ରାଣୀ ଉପଯୁକ୍ତ ଇଂରାଜୀ ଶିକ୍ଷକ ମଧ୍ୟ ନିଯୁକ୍ତ କରି ରଖିଥିଲେ ।

 

ପୁଣି ସଙ୍ଗଦୋଷରୁ ଯୁବରାଜ ଯେପରି ରାଜାର କଠୋର କର୍ତ୍ତବ୍ୟ କଥା ପାଶୋରି ବିଳାସରେ ନ ମାତନ୍ତି ସେଥିପାଇଁ ରାଣୀ ପୁଅର ସଙ୍ଗ ବାଛିବାରେ ବଡ଼ କଡ଼ା ନଜର ଦେଇଥିଲେ ।

 

ରାଣୀ ଗୁଣ୍ଡିଚାଙ୍କ ଆଦର୍ଶ, ଉପଯୁକ୍ତ ପତ୍ନୀ ଭାବରେ, ଯୋଗ୍ୟ ଶାସନକର୍ତ୍ତ୍ରୀ ଭାବରେ ଓ ସ୍ନେହମୟୀ ମାତା ଭାବରେ ଚିରଦିନ ଅମର ଥିବ ।

Image

 

ଭୀମଭୋଇ

 

ମହାତ୍ମା ଭୀମ ଭୋଇ ରେଢ଼ାଖୋଲ ରାଜ୍ୟର ଜଣେ ଦରିଦ୍ର କନ୍ଧ ଘରେ ଜନ୍ମ ହୋଇଥିଲେ । ସେ ଜନ୍ମରୁ ଅନ୍ଧ ଥିଲେ । ୧୮୬୩ ସାଲ ବେଳକୁ ତାଙ୍କୁ ପ୍ରାୟ ଆଠ ବର୍ଷ ବୟସ ହୋଇଥିଲା । ସେତେବେଳେ ସେ ଅଞ୍ଚଳରେ ଅନାବୃଷ୍ଟି ହେଲା । ଖାଦ୍ୟ କଷ୍ଟ ହେବାରୁ ତାଙ୍କର ବିଧବା ମା ତାଙ୍କୁ ଧରି ସୋନପୁର ରାଜ୍ୟକୁ ପଳାଇ ଆସିଲେ ।

 

ସୋନପୁର ରାଜ୍ୟର ନୂଆଗଡ଼ ନାମକ ଗାଁର ଜଣେ ବ୍ରାହ୍ମଣ ଘର ମା ପୁଅ ଦୁହେଁ ରହିଲେ । ମା ପାଞ୍ଚଲୋକର ଧାନ କୁଟେ ଓ ପୁଅ ଧାନ ସାଙ୍କୁଳି ଦିଅନ୍ତି, ଆଉ ପ୍ରତି କାର୍ଯ୍ୟରେ ମାଆଙ୍କୁ ସାହାଯ୍ୟ କରନ୍ତି । ଟିକିଏ ବଡ଼ ହୋଇ ଗଲାରୁ ଭୀମ ବ୍ରାହ୍ମଣଙ୍କର ଗାଈ ଚରାଇଲେ ।

 

ସେ ଅନ୍ଧ ଥିବାରୁ ତାଙ୍କ ଗାଈଚରା ଭିନ୍ନ ପ୍ରକାର ଥାଏ । ସେ ଗାଈମାନଙ୍କୁ ଭିନ୍ନ ଭିନ୍ନ ନାଁ ଦେଇଥାନ୍ତି । ଚରାଇ ଗଲାବେଳେ ଗାଈମାନଙ୍କର ନାମ ଧରି ଡାକି ଡାକି ଗାଈଙ୍କୁ ନେଇ ଯାଆନ୍ତି । ଆସିଲାବେଳେ ମଧ୍ୟ ସେପରି ନାଁ ଧରି ଡାକି ଡାକି ଘରକୁ ଫେରାଇ ଆଣନ୍ତି । ସଞ୍ଜବେଳେ ସେ ବ୍ରାହ୍ମଣଙ୍କ ଘରେ ନିତି ପାଠ ହେଉଥିବା ଭାଗବତ ଶୁଣନ୍ତି । ଆଉ ଗାଈଙ୍କୁ ଚରାଇ ଗଲାବେଳେ ଗାଇଙ୍କୁ ଚରିବାକୁ ଛାଡ଼ିଦେଇ ନିଜେ ଗୋଟିଏ ସ୍ଥାନରେ ବସି ଶୁଣିଥିବା ବିଷୟ ଗୁଡ଼ିକ ଆଉ ଥରେ ଭାବନ୍ତି, ପୁଣି କେତେବେଳେ କେମିତି ବଡ଼ ପାଟିରେ ଶୁଣିଥିବା ଭାଗବତକୁ ଗାଇ ଯାଆନ୍ତି ।

 

ତାଙ୍କୁ ଯେତେବେଳେ ଷୋଳବର୍ଷ ବୟସ, ସେତେବେଳେ ଗୋଟିଏ ବଡ଼ ଅଦ୍‌ଭୁତ ଘଟଣା ଘଟିଲା । ଦିନେ ସେ ଗାଇ ଚରାଇ ଯାଇଥିବାବେଳେ ଗୋଟିଏ ଗାଈ ପ୍ରସବ କଲା । ନାଁ ଧରି ଡାକିବାରୁ ସେ ଗାଈଟି ତାଙ୍କ ପାଖକୁ ଆସିଲା, କିନ୍ତୁ ଛୁଆ ଛାଡ଼ି ଆସିଥିବାରୁ ପୁଣି ତାର ଛୁଆ ପାଖକୁ ଫେରିଗଲା । ଗାଈ ନ ଆସିବା ଜାଣି, କାରଣ ବୁଝି ନ ପାରି, ଭୀମ ଗାଈକୁ ଆଣିବା ପାଇଁ ଗୋଡ଼ାଇଲେ । ଯାଉଁ ଯାଉଁ ଗୋଟିଏ ଶୁଖିଲା କୂଅ ଭିତରେ ସେ ପଡ଼ିଗଲେ ।

 

ସନ୍ଧ୍ୟା ହେଲା । ଅନ୍ୟାନ୍ୟ ଗାଈମାନେ ଘରକୁ ଫେରିଲେ କିନ୍ତୁ ସେହି ଛୁଆଳୀ ଗାଈଟି ଆଉ ଭୀମ ଘରକୁ ଫେରିଲେ ନାହିଁ । ଏହା ଦେଖି ବ୍ରାହ୍ମଣ ଖୋଜି ଖୋଜି ଯାଇ ଗାଈକୁ ଆଣିଲେ କିନ୍ତୁ ଭୀମ କୂଅ ଭିତରେ ଥିବାରୁ ଆଉ କୂଅ ମୁହଁରେ ଅନାବନା ଘାସ ଲଟାଗୁଡ଼ାକ ଉଠି ଥିବାରୁ ତାଙ୍କୁ ଦେଖି ପାରିଲେ ନାହିଁ ।

 

ଏପରି ତିନିଦିନ ଯାଏ, ଭୀମ ସେ କୂଅ ଭିତରେ ପଡ଼ିରହିଲେ । ବ୍ରାହ୍ମଣ ଖୋଜି ଖୋଜି ହଇରାଣ ହୋଇ ଶେଷରେ ଭୀମଙ୍କର ଆଶା ଛାଡ଼ି ଦେଇଥିଲେ କିନ୍ତୁ ସେହି ଗାଈଟି ଚରିଗଲାବେଳେ ସବୁଦିନ କୂଅ ଚାରିପାଖରେ ବୁଲେ । ଏଥିରେ ବ୍ରାହ୍ମଣଙ୍କ ମନରେ ସନ୍ଦେହ ଜାତ ହେବାରୁ ଦିନେ ସେ କୂଅ ଭିତରକୁ ଚାହିଁ ଦେଖିଲେ ଯେ ଭୀମ କୂଅ ଭିତରେ ପଡ଼ିଛନ୍ତି ।

 

ବ୍ରାହ୍ମଣ ଆନନ୍ଦରେ ସେହିକ୍ଷଣି ଡଲା ଆଉ ଦଉଡ଼ି ଅଣାଇ କୂଅ ଭିତରକୁ ପକାଇଲେ । କିନ୍ତୁ ଭୀମଙ୍କର ଚେତା ନ ଥିବାରୁ ନିଶ୍ଚଳ ହୋଇ ବସିଥାନ୍ତି ଏବଂ ଯେତେ ଡାକିଲେ ଶୁଣୁ ନଥାନ୍ତି । ବହୁତ ଡକାଡକି କରିବାରେ ସେ ଚେତା ପାଇ ଡଲାରେ ବସି ଉପରକୁ ଆସିଲେ ।

 

ଉପରକୁ ଆସି ଭୀମ କହିଲେ, ‘‘ମୋତେ ଆଲୁଅରୁ କାହିଁକି ଅନ୍ଧାରକୁ ଆଣିଲ ?’’ ଆଉ ପୁଣି କହିଲେ, ‘‘ସେ କୂଅରେ ପଡ଼ିଲାକ୍ଷଣି ତାଙ୍କୁ ଗୋଟାଏ ବଡ଼ ଆଲୁଅ ଦୃଶ୍ୟ ହେଲା, ସେ ଆଲୁଅରେ ସେ ମିଶିଗଲେ ।’’

 

ଏ ଘଟଣା ପରେ ସେ ଆଉ ଘରେ ରହିବାକୁ ଇଚ୍ଛା କଲେ ନାହିଁ ଏବଂ ଉପଦେଶ ନେବାପାଇଁ ଢେଙ୍କାନାଳ ରାଜ୍ୟ ମଧ୍ୟରେ ଥିବା ଯୋରନ୍ଦା ମଠର ମହିମା ଗୋସାଇଁଙ୍କ ପାଖକୁ ଗଲେ । ସେଠାରେ ସେ ମନ୍ତ୍ର ଉପଦେଶ ନେଇ କେତେଦିନ ଗୁରୁଙ୍କ ପାଖରେ ରହିଲେ । ଗୁରୁଙ୍କ ମୃତ୍ୟୁ ପରେ ପୁଣି ସୋନପୁର ରାଜ୍ୟକୁ ଫେରି ଆସିଲେ ଆଉ ଲୋକଙ୍କ ମଧ୍ୟରେ ‘‘କୁମ୍ଭିପଟିଆ ଧର୍ମ’’ ପ୍ରଚାର କଲେ ।

 

ଭୀମ ବୁଦ୍ଧଦେବଙ୍କୁ ଭଗବାନଙ୍କର ବଡ଼ ଅବତାର ବୋଲି ମାନୁଥିଲେ । ମୂର୍ତ୍ତିପୂଜା ଓ ଜାତିଭେଦକୁ ଘୃଣା କରୁଥିଲେ ।

 

ଢେଙ୍କାନାଳରୁ ଫେରି କେତେଦିନ ସୋନପୁର ରାଜ୍ୟର ଗୁଲୁନ୍ଦା ନାମକ ଗ୍ରାମରେ ଗୋଟିଏ କୁମ୍ଭାର ଘର ବାହାରେ ରହି ଧର୍ମପ୍ରଚାର କଲେ । ଶତ ଶତ ଲୋକ ଧର୍ମ ଉପଦେଶ ଶୁଣିବାକୁ ତାଙ୍କ ପାଖକୁ ଆସୁଥିଲେ ।

 

ରାଜା ନୀଳଧର ସିଂହ ସେ ସମୟରେ ସୋନପୁରରେ ରାଜତ୍ୱ କରୁଥିଲେ । ଗୁଣଗ୍ରାହୀ ରାଜା ଭୀମ ଭୋଇଙ୍କୁ ଖଲିଆପାଲିରେ ମଠ ତୋଳିବାକୁ କୌଣସି ବାଧା ଦେଲେ ନାହିଁ, ବରଂ ଅନେକ ରକମରେ ତାଙ୍କୁ ଉତ୍ସାହ ଦେଲେ ।

 

ଭୀମ ଭୋଇଙ୍କର ମନେ ରଖିବା ଶକ୍ତି ଅସାଧାରଣ ଥିଲା । ତାଙ୍କ ଶିଷ୍ୟମାନେ ଅନେକ ଶାସ୍ତ୍ର ପଢ଼ି ତାଙ୍କୁ ଶୁଣାଉଥିଲେ । ସେ ସବୁ ଶୁଣି ଶୁଣି ଗୁରୁଙ୍କ ଉପଦେଶ ସବୁକୁ ସ୍ମରଣ କରି ସେ ଲୋକଙ୍କୁ ଗୋଟିଏ ନୂଆ ଧର୍ମବାଟ ଦେଖାଇଲେ । ତାଙ୍କ ଧର୍ମକୁ ବୁଝାଇବା ପାଇଁ ସେ ଅନେକ ଗୀତ ରଚନା କରିଅଛନ୍ତି ।

 

ତାଙ୍କର ଗୀତ ରଚନାଧରଣ ଶୁଣିଲ ଆଜି ଆଶ୍ଚର୍ଯ୍ୟ ହେବାକୁ ହୁଏ । ତିନି ଚାରିଜଣ ଶିଷ୍ୟ ଲେଖନ ଓ ତାଳପତ୍ର ଧରି ତାଙ୍କୁ ଘେରି ବସୁଥିଲେ । ସେ ସେମାନଙ୍କୁ ତିନି ଚାରିଖଣ୍ଡ ଗ୍ରନ୍ଥରୁ ପଦେ ପଦେ ରଚନା କରି ଡାକି ଦେଉଥିଲେ । ଭିନ୍ନ ଭିନ୍ନ ଗ୍ରନ୍ଥର ପଦ ରଚନାବେଳେ କୌଣସି ରକମର ଗୋଳମାଳ ହେଉ ନ ଥିଲା । ସମୟ ସମୟରେ ଗୋଟିଏ ଗୀତର ବିଭିନ୍ନ ପାଦ, ସେ ଧାଡ଼ି ହୋଇ ବସିଥିବା ଶିଷ୍ୟମାନଙ୍କୁ ଡାକି ଦେଉଥିଲେ । ଡାକି ସାରିଲା ପରେ ସେଗୁଡ଼ିକ ଯୋଡ଼ି ଦେଲେ ସେ ଗୀତ ପୂରା ହେଉଥିଲା ।

 

ତାଙ୍କ ରଚିତ ସ୍ତୁତି-ଚିନ୍ତାମଣି, ଶ୍ରୁତି-ନିଷେଧ ଗୀତା ପ୍ରଭୃତି ଗ୍ରନ୍ଥମାନଙ୍କୁ ଆଜି ମଧ୍ୟ କୁମ୍ଭିପଟିଆମାନେ ବେଦପରି ମାନନ୍ତି । ତାଙ୍କ ଭାଷା ଏଡ଼େ ମଧୁର ଓ ସରଳ ଯେ କୁମ୍ଭିପଟିଆ ବାବାଜିମାନେ ବୁଲି ବୁଲି ତାହାକୁ ଗାଉଥିଲାବେଳେ ଶୁଣିବା ଲୋକର ହୃଦୟରେ ଶାନ୍ତିର ଲହରୀ ଖେଳିଯାଏ ।

Image

 

ବିନିକା

 

ବେଦ ଯୁଗରେ ବୈବଶ୍ୱତ ମନୁ ନାମରେ ଭାରତର ଜଣେ ସମ୍ରାଟ ଥିଲେ । ତାଙ୍କର ଦଶଟି ପୁଅ ଥିଲେ ଆଉ ଇଳା ନାମରେ ଗୋଟିଏ ଝିଅ ଥିଲା । ବୈବଶ୍ୱତ ମନୁ ଇଲାଙ୍କୁ ଦକ୍ଷିଣ କୋଶଳ ଓ ଆଉ କେତେକ ରାଜ୍ୟ ଭାଗ ଦେଇଥିଲେ । ଇଳା ନିଜର ଚାରିପୁଅଙ୍କ ମଧ୍ୟରେ ଆପଣାର ରାଜ୍ୟ ସବୁକୁ ବାଣ୍ଟି ଦେଲେ ।

 

ବିନିତାଶ୍ୱ ନାମକ ପୁଅର ଭାଗରେ ଦକ୍ଷିଣ କୋଶଳ ପଡ଼ିଲା । ବିନିତାଶ୍ୱ ମହାନଦୀ କୂଳରେ ରାଜଧାନୀ ବସାଇ ନିଜ ନାମ ଅନୁସାରେ ତା ନାଁ ବିନିତାଶ୍ୱପୁର ଦେଇଥିଲେ । ସେହି ବିନିତାଶ୍ୱପୁର କାଳକ୍ରମେ ବିନିତ ପୁର ନାମରେ ପରିବର୍ତ୍ତିତ ହେଲା

 

ଯଯାତି, ଜନମେଜୟ ଆଦି ସୋମବଂଶୀ ଗୁପ୍ତ ରାଜାମାନେ ଏହି ବିନିତ ପୁରରୁ ଅନେକ ଗାଁ ଦାନ ଦେଇଅଛନ୍ତି

 

ବିନିତ ପୁରକୁ ଆଜିକାଲି ଲୋକେ ବିନିକା ବୋଲି କହନ୍ତି । ଏହି ବିନିକା ପାଖରେ ଥିବା ଚରଦା ନାମକ ଗାଁରେ ଗୋଟିଏ ପୁରୁଣା ଶିବମନ୍ଦିର ଏବେ ସୁଦ୍ଧା ରହିଅଛି । ମହାନଦୀ ବାଟେ ଯେତେବେଳେ ବେପାରୀ ଓ ଯାତ୍ରୀ ଡଙ୍ଗାମାନ ପ୍ରଚୁର ପରିମାଣରେ ଯିବା ଆସିବା କରୁଥିଲା, ସେତେବେଳେ ବିନିକା ମହାନଦୀ କୂଳର ଗୋଟିଏ ଭାରୀ ବଡ଼ ସହର ଓ ନୌବନ୍ଦର ଥିଲା । ଅଦ୍ୟାପି ସୁଦ୍ଧା ଏଠାରେ ଅନେକ କଂସାରୀ, ଭୁଲିଆ ଓ ଅନ୍ୟାନ୍ୟ ବ୍ୟବସାୟୀ ବାସ କରନ୍ତି ।

Image

 

ପ୍ରତାପ ଦେଓ

 

ପାଟଣା ମହାରାଜା ହମୀର ଦେଓ ମଲାବେଳେ ତାଙ୍କ ପୁଅ ପ୍ରତାପ ଦେଓ ସାତବର୍ଷର ବାଳକ ଥିଲେ । ତାଙ୍କର ମା ନାଁବାଳକ ପୁଅ ତରଫରୁ ମନ୍ତ୍ରୀମାନଙ୍କ ସାହାଯ୍ୟରେ ରାଜ୍ୟଶାସନକାର୍ଯ୍ୟ ଚଳେଇଲେ, କିନ୍ତୁ ମନ୍ତ୍ରୀମାନେ ରାଜ୍ୟରେ ନାନାଦି ଅତ୍ୟାଚାର କଲେ ।

 

ପାଟଣା ପ୍ରଜାମାନେ ଯାଇ ଏ ବିଷୟ ସମ୍ବଲପୁର ମହାରାଜା ବଳରାମ ଦେଓଙ୍କ ଆଗରେ କହିଲେ । ସେ ଏହା ଶୁଣି ଶାସନ କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ନିଜର ଜ୍ୟେଷ୍ପପୁତ୍ର ହ୍ରିଦେନାରାୟଣ ଦେଓଙ୍କୁ ପଠାଇଲେ । ରାଣୀ ଏଥିରେ ଅପମାନ ହେଲା ବୋଲି ବିଚାରି, ଦୁଷ୍ଟ ମନ୍ତ୍ରୀମାନଙ୍କ ବୋଲରେ ପଡ଼ି ନିଜର ବାପଘର ନନ୍ଦପୁରକୁ ପଳାଇଲେ ।

 

ପ୍ରତାପ ଦେଓ ମାମୁଁଘରେ ରହି ଦିନକୁ ଦିନ ବଢ଼ିବାକୁ ଲାଗିଲେ । କେତେକ ଦିବସ ଗଲାପରେ ବଙ୍ଗର ମୁସଲମାନ ଶାସନ କର୍ତ୍ତା ସୁଲେମାନ୍‌ ଓଡ଼ିଶା ଆକ୍ରମଣ କଲେ । ଓଡ଼ିଶାର ଗଜପତି ରାମଚନ୍ଦ୍ର ଦେବ ନିଜର ସାମନ୍ତ ରାଜାମାନଙ୍କୁ ମୁସଲମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଆଦେଶ ଦେଲେ । ଯୁଦ୍ଧରେ ଯୋଗ ଦେବାକୁ ନନ୍ଦପୁରର ବିଶ୍ୱମ୍ଭର ଦେଓଙ୍କୁ ମଧ୍ୟ ଗଜପତିଙ୍କର ଆଦେଶ ହେଲା । ସେତେବେଳକୁ ପ୍ରତାପ ଦେଓ ପୂର୍ଣ୍ଣ ଯୁବକ । ବିଶ୍ୱମ୍ଭର ଦେବ, ଭଣଞ୍ଜା ପ୍ରତାପ ଦେଓଙ୍କ ଅଧୀନରେ ନିଜ ସୈନ୍ୟ ପଠାଇଲେ ।

 

ପ୍ରତାପଙ୍କ ବୁଦ୍ଧିକାଳ, ଦମ୍ଭ, ସାହସ ଓ ବୀରପଣିଆ ଦେଖି ଓଡ଼ିଶା ରାଜା ତାଙ୍କୁ ନିଜର ସବୁ ସୈନିକମାନଙ୍କ ଉପରେ ବଡ଼ ସେନାପତି କଲେ । ପ୍ରତାପ ଦେଓ ଏପରି କୌଶଳରେ ଯୁଦ୍ଧ ଚଳାଇଲେ ଯେ ସୁଲେମାନ୍‌ ହାରି ଯାଇ ନିଜ ରାଜ୍ୟକୁ ପଳାଇଲେ । ପ୍ରତାପଙ୍କର ଏପରି ଭଲଗୁଣ ଦେଖି ଗଜପତି ବଡ଼ ସନ୍ତୋଷ ହେଲେ । ସେ ନିଜର ଭଉଣୀଙ୍କୁ ଯାଚିକରି ପ୍ରତାପ ଦେଓଙ୍କ ସଙ୍ଗେ ବିବାହ କରାଇଦେଲେ । ଓଡ଼ିଶାର ରାଜଧାନୀରେ ଏ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଲା । ମାମୁଁ ବିଶ୍ୱମ୍ଭର ଦେଓ ଯାଇ ପ୍ରତାପଙ୍କୁ ବିଭା କରାଇ ଦେଲେ ।

 

ପ୍ରତାପ ଦେଓ ନିଜ ରାଣୀଙ୍କି ଧରି ନନ୍ଦପୁରକୁ ଫେରିଆସିଲେ । କେତେକ ଦିନ ଗଲାପରେ ଖେମଣ୍ଡି ରାଜାଙ୍କ ସହିତ ପ୍ରତାପ ଦେଓଙ୍କର ମନ ମିଳିଲା ନାହିଁ । ପ୍ରତାପ ଦେଓ ସୈନ୍ୟସଂଗ୍ରହ କରି ଖେମଣ୍ଡି ବିରୁଦ୍ଧରେ ଲଢ଼େଇ କଲେ । ଲଢ଼େଇରେ ଖେମଣ୍ଡି ରାଜା ହାରିଗଲେ-

 

ଏହି ସମୟରେ ସମ୍ବଲପୁର ରାଜା ବଳରାମ ଦେଓ ମରିଗଲେ । ପାଟଣାରେ ଶାସନ କରୁଥିବା ତାଙ୍କର ବଡ଼ପୁଅ ସମ୍ବଲପୁରରେ ଅଭିଷେକ ହେବାରୁ ପାଟଣା ରାଜ୍ୟର ଜମିଦାର, ଉମଗ୍ନ ଆଉ ପ୍ରଜାମାନେ ମିଳି ପ୍ରତାପ ଦେଓଙ୍କୁ ନନ୍ଦପୁରରୁ ଆଣିବାକୁ ଗଲେ ।

 

ପ୍ରତାପ ଦେଓ ପାଟଣାକୁ ଆସି ରାଜା ହୋଇ ଶାସନ ଚଳାଇଲେ, କିନ୍ତୁ ତାଙ୍କ ମାଙ୍କ ସଙ୍ଗରେ ଯାଇଥିବା ସେହି ପୁରୁଣା ମନ୍ତ୍ରୀମାନେ ଆସି ପୁଣି ରାଜ୍ୟରେ ଗୋଳମାଳ ଆରମ୍ଭ କରିଦେଲେ । ପ୍ରତାପ ଦେଓ ସେ ସମସ୍ତଙ୍କୁ ତଡ଼ି ପୁଣି ରାଜ୍ୟକୁ ଶାନ୍ତି ଫେରାଇ ଆଣିଲେ ।

 

ପ୍ରତାପ ଦେଓ ନିଜର କନିଷ୍ଠ ପୁତ୍ର ଗୋପାଳ ରାଏଙ୍କୁ ଖୋରାକ-ପୋଷାକ ପାଇଁ ଖଡ଼ିଆଳ ଜମିଦାରୀ ଦେଇଥିଲେ ।

Image

 

ଚମ୍ପା ତଲୀଏନ

 

ଦନ୍ତେଶ୍ୱରୀ ପାଟଣାକୁ ବାହାରି ଆସିବାରୁ ବସ୍ତର ରାଜାଙ୍କୁ ଭାରୀ ବାଧିଲା । କେତେଦିନ ଗଲା ପରେ ସେ ଦନ୍ତେଶ୍ୱରୀଙ୍କି ଉଦ୍ଧାର କରିବା ପାଇଁ ନିଜର ସେନାପତିମାନଙ୍କୁ ଅନେକ ସୈନ୍ୟ ଦେଇ ପାଟଣାକୁ ପଠାଇଲେ । ସେମାନେ ଆସି ପାଟଣାଗଡ଼କୁ ରାତିରେ ଘେରିଗଲେ ।

 

ଭୂ-ସାଗରର ବଡ଼ ବଡ଼ ଆଡ଼ିମାନଙ୍କୁ ଗଡ଼ର କାନ୍ଥ ମନେ କରି ବସ୍ତର ସୈନ୍ୟମାନେ ବହୁତ ଶର ଓ ଗୁଳି ନିକ୍ଷେପ କଲେ, କିନ୍ତୁ ରାତି ପାହି ସକାଳ ହେଲାରୁ ସେମାନ ନିଜର ଭୁଲ ବୁଝିପାରି ଲଜ୍ଜିତ ହୋଇ ପଳାଇ ଗଲେ ।

 

କେନ୍ଦୁମଣ୍ଡିର ଗଡ଼ତିଆ ରାଜାଙ୍କଠାରୁ ହୁକୁମ ପାଇ ଯାଇ ବସ୍ତର ସୈନ୍ୟଙ୍କ ସଙ୍ଗେ ଯୁଦ୍ଧ କଲେ । ଅନେକ ବସ୍ତର ସୈନ୍ୟ ମଲେ ଓ ବାକୀ କେତେଜଣ ଯାଇ ବୁଠିକୁରାଢ଼ିନାମକ ଜଙ୍ଗଲରେ ଲୁଚି ରହିଲେ । ଗଡ଼ତିଆ ଯୁଦ୍ଧରେ ଜିଣି ଗଡ଼କୁ ଫେରିଲେ ।

 

ସେତେବେଳେ ଦଶହରା (ଆଶ୍ୱିନ) ମାସ ହୋଇଥାଏ । ଯେଉଁ ଝାଙ୍କରକୁ ପାଟଣେଶ୍ୱରୀ ଆସୁଥିଲେ ଅର୍ଥାତ୍‌ ଯେଉଁ ଝାଙ୍କରଠାରେ ପାଟଣେଶ୍ୱରୀ ଦେବୀ ଉଭା ହେଉଥିଲେ ତାକୁ ବଳୀ କୁହାଯାଉଥିଲା । ସେହି ବଳୀ ନାଚି ନାଚି ଆଗର ସେହି ‘‘ବୁଠିକୁରାଢ଼ି’’ ଜଙ୍ଗଲ ଭିତରକୁ ପଶିଗଲାବେଳେ, ସେଠାରେ ଲୁଚି ରହିଥିବା ବସ୍ତର ସୈନ୍ୟମାନେ, ତାର ମୁଣ୍ଡ କାଟି ପକାଇଲେ ଏବଂ ସେ ମୁଣ୍ଡଟାକୁ ଧରି ବସ୍ତରକୁ ପଳାଇ ଗଲେ । ଏଣେ ବଳୀର ମୁଣ୍ଡହୀନ ଗଣ୍ଡିଟା କେବଳ ନାଚି ନାଚି ପାଟଣେଶ୍ୱରୀଙ୍କ ଦେଉଳ ପାଖକୁ ଆସିଲା, କିନ୍ତୁ ଦେଉଳ ଭିତରକୁ ନ ଯାଇ ବାହାରେ ଥିବା ଗୋଟିଏ ଚମ୍ପା ଫୁଲଗଛ ତଳରେ ପଡ଼ିଗଲା । ସେଦିନଠାରୁ ପାଟଣେଶ୍ୱରୀ, ଚମ୍ପା ତଲୀଏନ ନାମରେ ସେଠାରେ ପୂଜା ପାଉଅଛନ୍ତି ।

Image

 

ଶ୍ରୀ ରାମଚନ୍ଦ୍ର ମଲ୍ଲିକ

 

ପାଟଣାଗଡ଼ରେ ଶାସନ କରୁଥିବା ଆଠ ମଲ୍ଲିକଙ୍କ ଭିତରେ କେଉଟ ଜାତିର ଜଣେ ମଲ୍ଲିକ ଥିଲେ । ବଳରାମ ଦେଓ ସମ୍ବଲପୁର ଗଲାବେଳେ ତାଙ୍କରି ବଂଶରୁ କେତେଜଣଙ୍କୁ ସଙ୍ଗରେ ନେଇ ଯାଇଥିଲେ । ଦେଓ୍ୟାନ୍‌ କୃଷ୍ଣ ବଡ଼ମଲ୍ଲିକ ଏହି ବଂଶରେ ଜନ୍ମ ହୋଇଥିଲେ । ମଦନ ଗୋପାଳ ସୋନପୁରରେ ରାଜଧାନୀ ବସାଇଲାବେଳେ ଏହି ବଂଶରୁ କେତେଜଣଙ୍କୁ ସୋନପୁର ନେଇ ନିଜର ଯୁଦ୍ଧବିଭାଗରେ କାର୍ଯ୍ୟମାନ ଦେଇଥିଲେ । ଏହି ବଂଶର ବାଉଁଶୁଣୀ ଶାଖାରେ ଶ୍ରୀରାମଚନ୍ଦ୍ର ମଲ୍ଲିକ ଜନ୍ମଗ୍ରହଣ କରିଥିଲେ ।

 

ପିଲାଦିନୁଁ ଶ୍ରୀରାମଚନ୍ଦ୍ରଙ୍କ ବୁଦ୍ଧିମତ୍ତାର ପରିଚୟ ମିଳିଥିଲା । ସେ ଯତ୍ନରେ ଚାଟଶାଳୀ ପଢ଼ା ଶେଷକରି ଇଂରାଜୀ ପଢ଼ିବା ପାଇଁ ସମ୍ବଲପୁର ଗଲେ । ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବେ ସେ ଏଣ୍ଟ୍ରାନ୍‍ସ ପାସ୍‌ କରିଥିଲେ ।

 

ଏଣ୍ଟ୍ରାନ୍‌ସ ପାସକରି ସେ ଘରକୁ ଫେରି ଆସିଲେ । ସୋନପୁରର ତତ୍କାଳୀନ ଗୁଣଗ୍ରାହୀ ରାଜା ନୀଳାଧର ସିଂହଦେଓ ତାଙ୍କୁ ସେ ସ୍ଥାନର ଏଙ୍ଗ୍ଳୋ-ଭର୍ଣ୍ଣାକୁଲର ମିଡିଲ ସ୍କୁଲର ପ୍ରଧାନ ଶିକ୍ଷକ କାର୍ଯ୍ୟରେ ନିଯୁକ୍ତ କଲେ । କେତେଦିନ ପରେ ସେ ସମ୍ବଲପୁର ହାଇସ୍କୁଲର ସହକାରୀ ଶିକ୍ଷକ ପଦରେ ନିଯୁକ୍ତ ହେଲେ ।

 

ସମ୍ବଲପୁରରେ ଶିକ୍ଷକ ଥିବାବେଳେ ପାଟଣାର ମହାରାଜା ଶ୍ରୀ ରାମଚନ୍ଦ୍ର ଦେଓ ତାଙ୍କୁ ଅତି ଆଗ୍ରହରେ ଆଣି ବଲାଙ୍ଗିର ମି.ଇ. ସ୍କୁଲର ପ୍ରଧାନଶିକ୍ଷକ ପଦରେ ନିଯୁକ୍ତ କଲେ । ତା’ପରେ ତାଙ୍କୁ କେତେ ଦିନ ପାଟଣା ଷ୍ଟେଟ୍‌ ଦେଓ୍ୟାନ୍‌ ଅଫିସ୍‌ର ହେଡକ୍ଳାର୍କ ଓ ନାଏବ ତହସିଲଦାର କାର୍ଯ୍ୟ ମଧ୍ୟ କରିବାକୁ ହୋଇଥିଲା । କିନ୍ତୁ ସେ ପାଟଣାର ଶିକ୍ଷା ଉନ୍ନତିକି ଜୀବନର ପ୍ରଧାନ ଲକ୍ଷ୍ୟ କରିଥିବାରୁ ଅନ୍ୟାନ୍ୟ କାର୍ଯ୍ୟ ସବୁ ତାଙ୍କ ମନକୁ ଆସୁ ନଥିଲା । ଦୈବଯୋଗକୁ ତାଙ୍କୁ ପାଟଣା ଷ୍ଟେଟର ଶିକ୍ଷା ବିଭାଗର ଡେପୁଟି ଇନ୍‌ସପେକ୍‌ଟର କାର୍ଯ୍ୟରେ ନିଯୁକ୍ତ କରାଗଲା । ଏହି କାର୍ଯ୍ୟ ସେ ପ୍ରାୟ ୨୦ ବର୍ଷ କାଳ କରିଥିଲେ ।

 

ସେ ଏତେ ହୃଦୟତାର ସହିତ ଏହି କାର୍ଯ୍ୟ କରିଥିଲେ ଯେ ତାଙ୍କ କାର୍ଯ୍ୟ ସମୟ ମଧ୍ୟରେ ସ୍କୁଲସଂଖ୍ୟା ପ୍ରାୟ ତିନିଗୁଣ ବଢ଼ିଯାଇଥିଲା, ଆଉ ଛାତ୍ରସଂଖ୍ୟା ମଧ୍ୟ ସେହି ପରିମାଣରେ ବଢ଼ିଥିଲା ।

 

ତାଙ୍କର ଅମାୟିକ ବ୍ୟବହାର ଓ ଶିକ୍ଷାପ୍ରତି ଆଗ୍ରହ ଦେଖି ପାଟଣା ଷ୍ଟେଟର ବିଭିନ୍ନ ଗ୍ରାମର ଲୋକେ ନିଜ ଯତ୍ନରେ ଅନେକ ଗୁଡ଼ିଏ ସ୍କୁଲ ଖୋଲିଥିଲେ । ବିଶେଷତଃ ସେହିସବୁ ଗ୍ରାମବାସୀଙ୍କ ଯତ୍ନରେ ପ୍ରାୟ ସମସ୍ତ ସ୍କୁଲ ଘରଗୁଡ଼ିକ ପକ୍‍କା ହୋଇ ଯାଇଥିଲା । ସ୍ତ୍ରୀ ଶିକ୍ଷାପ୍ରତି ସେ ବିଶେଷ ମନୋଯୋଗ ଦେଇଥିଲେ । ତାଙ୍କରି ଉତ୍ସାହରେ କେବଳ ଉତ୍ସାହିତ ହୋଇ ଅନେକ ସ୍ତ୍ରୀ ଶିକ୍ଷୟିତ୍ରୀ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

 

ଏ ସମସ୍ତ କାର୍ଯ୍ୟର ସୁସମ୍ପାଦନ ପାଇଁ ତାଙ୍କୁ ଅନେକ ସମୟ ବ୍ୟୟ କରିବାକୁ ପଡ଼ୁଥିଲା-। କିନ୍ତୁ ତାହାହେଲେ ମଧ୍ୟ ନିଜର ଜନ୍ମଭୂମି କୋଶଳ ପ୍ରତି ତାଙ୍କର ମମତା ଏତେ ଅଧିକ ଥିଲା ଯେ ଅବସର ସମୟ ନିୟୋଜିତ କରି ସେ ଅନେକ ଇତିହାସ ପୁସ୍ତକ ଲେଖିଅଛନ୍ତି । ସେ ସବୁ ପୁସ୍ତକମଧ୍ୟରୁ କେବଳ ‘‘ସଂକ୍ଷିପ୍ତ କୋଶଳ ଇତିହାସ’’ ଖଣ୍ଡିକ ଛପା ହୋଇଅଛି । ଆଉ ଇଂରାଜୀ ଭାଷାରେ ଲିଖିତ ବିରାଟ କୋଶଳ ଇତିହାସ, ୧୬୦୦ ପୃଷ୍ଠା ବ୍ୟାପୀ ପ୍ରକାଣ୍ଡ ଓଡ଼ିଶା ଇତିହାସ ଏ ପର୍ଯ୍ୟନ୍ତ ଛପା ହୋଇପାରି ନାହିଁ । ତାଙ୍କୁ ଏ ବିଷୟ ପଚାରିଲେ ସେ କହନ୍ତି, ‘‘ଇତିହାସ ନ ଜାଣିଲେ ଜାତି କେବେ ନିଜକୁ ଚିହ୍ନିପାରେ ନାହିଁ, ତେଣୁ ସେ ଜାତି କେବେ ଉନ୍ନତି କରିପାରେ ନାହିଁ ।

 

ଖାଲି ଇତିହାସ ଦିଗରେ ଯେ ତାଙ୍କର ପ୍ରତିଭା ଥିଲା ତାହା ନୁହେଁ, ଧର୍ମଦିଗରେ ମଧ୍ୟ ତାଙ୍କର ନିଷ୍ଠା କମ୍‌ ନ ଥିଲା । ଧର୍ମ ଆଲୋଚନାପାଇଁ ତାଙ୍କ ଯତ୍ନରେ ଓ ମହାରାଜା ଦଳଗଞ୍ଜନ ସିଂହଙ୍କ ସହାନୁଭୂତି ବଳରେ ସନାତନ ଧର୍ମସଭା ନାମରେ ଗୋଟିଏ ସଭା ସ୍ଥାପିତ ହୋଇଥିଲା । ସେ ସଭାର ମୁଖପତ୍ର ରୂପେ ‘‘ସନାତନ-ଧର୍ମ-ପତ୍ରିକା’’ ନାମରେ ଖଣ୍ଡିଏ ମାସିକ ପତ୍ରିକା ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ବଲାଙ୍ଗିରରୁ ପ୍ରକାଶିତ ହେଉଥିଲା । ସେ ଗୀତାର ଟୀକା, ସମସ୍ତ ଉପନିଷଦ ଓ ଋକ୍‌ବେଦର ସରଳ ଓଡ଼ିଆ ଅନୁବାଦ ମଧ୍ୟ କରିଅଛନ୍ତି ।

 

ବଲାଙ୍ଗିର କଳିଙ୍ଗ ସାହିତ୍ୟ ସମିତିର ସେ ମେରୁଦଣ୍ଡ ଥିଲେ ବୋଲି କହିଲେ ଚଳେ । ମୃତ୍ୟୁ ସମୟ ପର୍ଯ୍ୟନ୍ତ ସେ ଇତିହାସ, ସାହିତ୍ୟ ଓ ଧର୍ମଚର୍ଚ୍ଚାରେ କ୍ଳାନ୍ତି କିମ୍ବା ବିରକ୍ତି ବୋଧ କରି ନଥିଲେ ।

 

ତା ୧୦-୧୧-୧୯୩୫ ଦିନ ତାଙ୍କର ପବିତ୍ର ଆତ୍ମା ମର କଳେବର ତ୍ୟାଗକରି ଅମର-ପୁରୀ ପଥରେ ଯାତ୍ରା କଲା ।

Image

 

ମହାରାଜା ଦଳଗଞ୍ଜନ ସିଂହଦେଓ

 

ମହାରାଜା ରାମଚନ୍ଦ୍ର ଦେଓଙ୍କ ମୃତ୍ୟୁ ପରେ ତାଙ୍କ କକା ଦଳଗଞ୍ଜନ ସିଂହ ପାଟଣା ସିଂହାସନରେ ବସିଲେ । ସିଂହାସନରେ ବସିଲାବେଳକୁ ତାଙ୍କୁ ଅଣଚାଳିଶ ବର୍ଷ ବୟସ ହୋଇଥିଲା-

 

ଦଳଗଞ୍ଜନ ସିଂହ ବଡ଼ ବିଚକ୍ଷଣ ଲୋକ ଥିଲେ । ସେ ଇଂରାଜୀ, ସଂସ୍କୃତ, ପାର୍ସୀ, ଉର୍ଦ୍ଦୁ, ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷା ଭଲରୂପେ ଜାଣିଥିଲେ । ତାଙ୍କ ହାତର ଅକ୍ଷର ଅତି ସୁନ୍ଦର ଥିଲା ।

 

ସଂସ୍କୃତ ଆଉ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ବଡ଼ ଆଗ୍ରହ ଥିଲା । ତେଣୁ ତାଙ୍କ ସମୟରେ ଅନେକ ପଣ୍ଡିତ ଆଦର ପାଇ ସବୁବେଳେ ତାଙ୍କ ପାଖରେ ଥିଲେ ।

 

ଧର୍ମ ପ୍ରତି ତାଙ୍କର ଦୃଢ଼ ଆସ୍ଥା ଥିଲା । ଆଜିକାଲି ବଲାଙ୍ଗିରରେ ପାଟଣା ଷ୍ଟେଟ ପାଇଁ ଯେଉଁ ସନାତନ ଧର୍ମସଭା ଅଛି, ତାକୁ ସେ ସ୍ଥାପନ କରିଥିଲେ । ଏ ସଭା ପକ୍ଷରୁ ତାଙ୍କ ସମୟରେ ସନାତନ ଧର୍ମ ପତ୍ରିକା ନାମରେ ଗୋଟିଏ ମାସିକ ପତ୍ରିକା ବାହାରୁଥିଲା ।

 

ସେ ବଲାଙ୍ଗିରରେ ଦଳଗଞ୍ଜନ ପ୍ରେସ୍‌, ଦୁଇମହଲା ପକ୍‍କା କଚେରୀ, ସାଲେଭଟା ଓ ଦେ ଗାଁ ଡାକବଙ୍ଗଳା କରାଇଥିଲେ । କରଙ୍ଗାକଟା ଓ ପ୍ରତାପ ସାଗରକୁ ଖୋଳାଇ ଦଳ ସାଗର ଓ ରାଣୀ ସାଗର ନାମ ଦେଇଥିଲେ । ଏହାଙ୍କ ରାଜତ୍ୱ ସମୟରେ ପର୍ବତ ବୀରା ବୋଲି ଜଣଷ ଠିକାଦାର ନରସିଂହ ମନ୍ଦିର ତୋଳାଇଥିଲେ ।

 

ତାଙ୍କ ରାଜତ୍ୱ ସମୟରେ ଓଡ଼ିଶାର ଚାରିଆଡ଼େ ଛପନ ସାଲ ଦୁର୍ଭିକ୍ଷ ପଡ଼ିଥିଲା । ଏ ଦୁର୍ଭିକ୍ଷ ୧୮୯୯ ଓ ୧୯୦୦ ଏହି ଦୁଇବର୍ଷ ହୋଇଥିଲା । ଖାଇବାକୁ ନ ପାଇବାରୁ ଲୋକେ ନାନା ରକମର ଅଖାଦ୍ୟ ଖାଇ ଅଜୀର୍ଣ୍ଣ ଓ ଆମାଶୟ ରୋଗରେ ପ୍ରାଣ ହରାଇଲେ । ମହାରାଜା ଦଳଗଞ୍ଜନ ସିଂହ ଅନେକ ସ୍ଥାନରେ ହଜାର ହଜାର ଭୋଖି ଲୋକଙ୍କୁ ଖାଇବାକୁ ଦେବାପାଇଁ ଅନ୍ନଛତ୍ରମାନ ଖୋଲିଥିଲେ ଏବଂ ହଜାର ହଜାର ଦରିଦ୍ର ଲୋକଙ୍କୁ ମୁଷ୍ଟିଭିକ୍ଷା ଦେବାର ବନ୍ଦୋବସ୍ତ କରିଦେଇଥିଲେ । ବନ୍ଧ, ସଡ଼କ ଆଦି ତିଆରି କରାଇ ଲୋକଙ୍କୁ କାମ ଦେଇଥିଲେ । ଏ ସବୁ କରି ମଧ୍ୟ ହଜାର ହଜାର ଲୋକ ମରି ଯାଇଥିଲେ ।

 

ଏହି ସୁଯୋଗ ପାଇ ବଖରିଆ ବୋଲି ଜଣେ ବିଞ୍ଝାଳ ଜାତିର ଲୋକ ପ୍ରାୟ ସାତଶହ ଲୋକଙ୍କୁ ସଙ୍ଗରେ ଧରି ମହଦାସନି ଓ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଲୁଚି ରହିଲା ଓ ସୁବିଧା ସମୟ ଦେଖି ପାଟଣା ଓ ବୁଢ଼ାସମ୍ବର ଏଇ ଦୁଇ ଇଲାକାରେ ପଶି ଲୁଟ୍‌ପାଟ୍‌ କରିବାକୁ ଲାଗିଲା । ଦେଖୁ ଦେଖୁ ଏମାନଙ୍କ ଅତ୍ୟାଚାର ବେଳକୁବେଳ ବଢ଼ିଗଲା । ଷ୍ଟେଟ୍‌ପୋଲିସ ଏମାନଙ୍କୁ ଜବତ୍‌ କରି ନ ପାରିବାରୁ ପଂଗଲ ନାମକ ଗଭର୍ଣ୍ଣମେଣ୍ଟ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଆସି ବଖରିଆକୁ ଧଇଲେ । ଦଳ ଭାଙ୍ଗିଗଲା । ବିଚାରରେ ବଖରିଆ ଦ୍ୱୀପାନ୍ତର (କଳାପାଣି) ଆଦେଶ ପାଇଲା ।

 

ଏହିପରି ଗୋଳମାଳ ସମୟ ମଧ୍ୟରେ ରାଜ୍ୟଶାସନ କରିବାକୁ ପଡ଼ିଥିଲେ ମଧ୍ୟ ମହାରାଜା ଦଳଗଞ୍ଜନ ସିଂହ ନିଜର ଜ୍ଞାନ ଓ ପାଣ୍ଡିତ୍ୟର ପରିଚୟ ଶାସନର ସବୁ ବିଭାଗରେ ଦେଇ ପାରିଥିଲେ । ତାଙ୍କରି ଛଅଟି ପୁଅ ଥିଲେ । ସେମାନଙ୍କ ଶିକ୍ଷା ପାଇଁ ସେ ଅନେକ ଯତ୍ନ କରିଥିଲେ । ତାଙ୍କ ମୃତ୍ୟୁପରେ ଜ୍ୟେଷ୍ଠ ପୃଥ୍ୱୀରାଜ ପାଟଣାର ମହାରାଜା ହୋଇଥିଲେ ।

Image

 

ପ୍ରହ୍ଲାଦ ଦୁବେ

 

ଚୌହାନ ରାଜତ୍ୱ ସମୟ ମଧ୍ୟରେ ଦିନେ ପାଟଣା ରାଜ୍ୟର ଉତ୍ତର ସୀମା ମହାନଦୀର ଦୁଇ ପାଖରେ ବିସ୍ତୃତ ଥିଲା । ସେତେବେଳେ ଉତ୍ତର ପଶ୍ଚିମ କୋଣରୁ ଶତ୍ରୁ ଆସିଲେ ବାଧା ଦେବାପାଇଁ ପାଟଣା ମହାରାଜାମାନେ ସାରଙ୍ଗଗଡ଼ ବୋଲି ଗୋଟିଏ ଗଡ଼ କରିଥିଲେ । ସେ ଗଡ଼ର ଶାସନକର୍ତ୍ତା ଚଳି ପାରିବେ ବୋଲି ଗଡ଼ର ଚାରିଆଡ଼େ କେତେକ ଗ୍ରାମ ଦେଇ ସାରଙ୍ଗଗଡ଼ର ରାଜ୍ୟ ଗଢ଼ିଥିଲେ । ତେଣୁ ସାରଙ୍ଗଗଡ଼ର ଲୋକେ ପାଟଣାର ଚୌହାନ ମହାରାଜାମାନଙ୍କୁ ନିଜ ମହାରାଜା ବୋଲି ଅନେକ ଦିନ ପର୍ଯ୍ୟନ୍ତ ମାନନା କରୁଥିଲେ । ସମ୍ବଲପୁର ସ୍ଥାପନ ହେଲାଦିନୁଁ ଶାସନ ସୁବିଧା ପାଇଁ ସାରଙ୍ଗଗଡ଼ ସମ୍ବଲପୁରର ଚୌହାନ ମହାରାଜାମାନଙ୍କ ଅଧୀନରେ ରହିଲା ।

 

ସମ୍ବଲପୁର ମହାରାଜା ଅଜିତ ସିଂହଙ୍କ ରାଜତ୍ୱ ସମୟରେ ସାରଙ୍ଗଗଡ଼ରେ ପ୍ରହ୍ଲାଦ ଦୁବେ ବୋଲି କବି ବାସ କରୁଥିଲେ । ସେ ଜାତିରେ ଲରିଆ ବ୍ରାହ୍ମଣ ଥିଲେ । ଜୟ-ଚନ୍ଦ୍ରିକା ନାମକ କବିତାଗ୍ରନ୍ଥରେ ସେ ନିଜକୁ ତହିଁର ଲେଖକ ବୋଲି ପରିଚିତ କରାଇ ଅଛନ୍ତି । ସେ ଗ୍ରନ୍ଥରେ ଲେଖାଥିବା କବିତାମାନଙ୍କରେ ସେ ପାଟଣା ଓ ସମ୍ବଲପୁରର ମହାରାଜାମାନଙ୍କ ବିଷୟ ବର୍ଣ୍ଣନା କରି ଅଛନ୍ତି ।

 

ପ୍ରଥମେ ସେ ତହିଁରେ ଭାରତର ଶେଷ ସ୍ୱାଧୀନ ହିନ୍ଦୁ ସମ୍ରାଟ ପୃଥ୍ୱୀରାଜଙ୍କ ବିଷୟ ଲେଖି ଅଛନ୍ତି । ତା ପରେ ତାଙ୍କ ବଂଶରେ ରମେଇ କିପରି ପାଟଣା ରାଜ୍ୟର ଝାଡ଼ ଭିତରେ ଜନ୍ମ ହେଲେ ସେ ବିଷୟ ବର୍ଣ୍ଣନା କରି ଅଛନ୍ତି ।

 

ରମେଇଙ୍କ ବଂଶର ପାଟଣା ମହାରାଜାମାନଙ୍କ ବିଷୟ ଲେଖି ସେ ସମ୍ବଲପୁର ସ୍ଥାପନକର୍ତ୍ତା ବଳରାମଙ୍କ ବିଷୟ ବର୍ଣ୍ଣନା ଅତି ବିସ୍ତୃତ ଭାବରେ କରି ଅଛନ୍ତି । ସେ ଗ୍ରନ୍ଥରେ ଅଜିତ ସିଂହଙ୍କ ପର୍ଯ୍ୟନ୍ତ ସମ୍ବଲପୁର ମହାରାଜାମାନଙ୍କ ବିଷୟ ମଧ୍ୟ ବର୍ଣ୍ଣିତ ହୋଇଅଛି ।

 

ଜୟ-ଚନ୍ଦ୍ରିକାର ଭାଷା ରାଜସ୍ଥାନୀ ମିଶା ଲରିଆ । ଆଜିକାଲି ଆମ୍ଭମାନଙ୍କ ପକ୍ଷରେ ତାହା ବୁଝିବା କଷ୍ଟକର ହେଲେ ମଧ୍ୟ ଭାଷା ସରଳ ଥିବାରୁ ସେ କାଳର ଲୋକେ ତାହା ପଢ଼ି ଆନନ୍ଦ ପାଇ ପାରୁଥିବେ ।

 

କବିତାଗୁଡ଼ିକ ସୋରଠା, ତାରକ, ଦୋହରା, ଚୌପାଇ, କରଖା, ରୋଳା ପ୍ରଭୃତି ବିଭିନ୍ନ ବିଚିତ୍ର ରାଗ ରାଗିଣୀରେ ରଚିତ । ଆଉ ସବୁ କବିତାମାନ ସଙ୍ଗୀତ ପରି ଗାଇହେବା ଭଳି ଲେଖା ହୋଇଅଛି ।

 

କବିତାଗୁଡ଼ିକର ପ୍ରଧାନ ରସ ବୀର ରସ । ଭାଷା ଆଉ ଭାବର ସମାବେଶ ଏପରି ସୁନ୍ଦର ହୋଇଅଛି ଯେ ଲୋକ ଗାଉଥିଲେ ନିତାନ୍ତ ଭୀରୁ ମଧ୍ୟ ଶୁଣି ବୀର ପରି କାର୍ଯ୍ୟ କରିବାକୁ ମନ ବଳାଇବ ।

 

ସାରଙ୍ଗଗଡ଼ରେ ଥିବା ଗ୍ରନ୍ଥଟି ଦେବନାଗର ଅକ୍ଷରରେ ଲେଖା ହୋଇଅଛି । ଏ ଗ୍ରନ୍ଥ ଯେଉଁ ଭାଷାରେ ଲିଖିତ ସେ ଭାଷାର ପ୍ରଚଳନ ବର୍ତ୍ତମାନ ସାହିତ୍ୟ କ୍ଷେତ୍ରରେ ନ ଥିବାରୁ କବି ଜନସାଧାରଣରେ ସେତେ ପରିଚିତ ହୋଇ ପାରି ନାହାନ୍ତି ।

Image

 

ବଲାଙ୍ଗିର

 

ପାଟଣା ରାଜ୍ୟର ବର୍ତ୍ତମାନ ରାଜଧାନୀ ବଲାଙ୍ଗିର ଗୋଟିଏ ନୂଆ ସହର । ଆଗ ପାଟଣାଗଡ଼ରେ ମହାରାଜା ରହୁଥିଲେ ଓ ତାହା ରାଜଧାନୀ ହୋଇଥିଲା ।

 

ରାମଚନ୍ଦ୍ର ଦେଓ ନାଁବାଳକ ଥିବାରୁ ଏ ରାଜ୍ୟ କୋର୍ଟ ଅଫ ଓ୍ୟାଡ଼ସ୍‌ ହୋଇ ଇଂରେଜ ସରକାରଙ୍କ ଶାସନ ଅଧୀନରେ ୧୮୭୧ ରୁ ୧୮୯୩ ସାଲ ପର୍ଯ୍ୟନ୍ତ ୨୨ ବର୍ଷ କାଳ ରହିଲା । ସେ ସମୟରେ କଳାହାଣ୍ଡିରେ କନ୍ଧମାନଙ୍କ ମେଳି ହେବାରୁ ସମ୍ବଲପୁରରୁ ଇଂରେଜ କର୍ମଚାରୀମାନଙ୍କର ସେଠାକୁ ଯିବା ଆସିବା କରିବାକୁ ପଡ଼ିଲା । ବାଟରେ ସେମାନଙ୍କୁ ବଲାଙ୍ଗିରରେ ରହିବାକୁ ସୁବିଧା ହେଉଥିଲା । ସେଥିପାଇଁ ପାଟଣା-ଶାସନ-ଭାରପ୍ରାପ୍ତ କର୍ମଚାରୀଙ୍କୁ ଅନେକ ସମୟରେ ବଲାଙ୍ଗିରରେ ରହିବାକୁ ପଡ଼ୁଥିଲା ।

 

ସେ କର୍ମଚାରୀ ପୁଣି ଦେଖିଲେ ଯେ ପାଟଣାଗଡ଼ର ପୁରୁଣା ବନ୍ଧ ଓ କଟଙ୍ଗ ବାଉଁଶର ଝାଡ଼ଲାଗି ସେଠାର ଜଳବାୟୁ ଖରାପ ହୋଇ ଯାଇଅଛି । ବଲାଙ୍ଗିର କଳାହାଣ୍ଡି-ସମ୍ବଲପୁର ସଡ଼କର ଉପରେ ଓ ମଧ୍ୟସ୍ଥଳରେ ଥିବାରୁ ସେଠାରେ ରହିବାଦ୍ୱାରା ଶାସନ ସମ୍ପର୍କୀୟ ବହୁତ ବିଷୟରେ ସୁବିଧା ହେଉଅଛି । ତେଣୁ ସେ ସମ୍ବଲପୁର ଡେପୁଟୀ କମିଶନର ସାର୍‌ ମେକ୍‌ଡୁଗେଲ୍‌ ସାହେବଙ୍କ ପାଖକୁ ବଲାଙ୍ଗିରକୁ ପାଟଣା ରାଜ୍ୟର ରାଜଧାନୀ ପରିବର୍ତ୍ତନ କରିବା ବିଷୟରେ ଲେଖିଲେ । ସାର ମେକ୍‌ଡୁଗେଲ୍‌ ଇଂରାଜ ସରକାରଙ୍କର ମଞ୍ଜୁର ଅଣାଇ ବଲାଙ୍ଗିରରେ ରାଜଧାନୀ ସ୍ଥାପନ କଲେ ।

 

ଏହି ସମୟରେ ଜେଲ, ଡାକ୍ତରଖାନା, ଜୁହ୍ନାବଖରୀ ଆଦି ଘରମାନ ତିଆରି ହେଲା । ସୁର ପ୍ରତାପ ଦେଓଙ୍କ ରାଣୀ ଅମୃତକୁମାରୀ ଗୋପାଳଜୀ ମନ୍ଦିର ଓ ରାଣୀବନ୍ଧ ତିଆରି କରାଇଲେ-। ପଣ୍ଡିତ ଚିନ୍ତାମଣି ନନ୍ଦ ବିଦ୍ୟାଭୂଷଣ ନୂଆକରି ବଲାଙ୍ଗିର ବସ୍ତି ବସାଇ ତହିଁ ଭିତରେ ପଶାପାଲି ପରି ଛକ ଛକ କରି ସଡ଼କମାନ ପକାଇଲେ ।

 

ତା’ପରେ ଦଳଗଞ୍ଜନ ସିଂହ ମହାରାଜାଙ୍କ ସମୟରେ ପୁରୁଣା କଚେରୀ, ଛାପାଖାନା, ମନୋହରପୁର ପ୍ରଭୃତିର ଘରମାନ ତିଆରି ହେଲା । କ୍ଳବ, ସମେଲଶ୍ୱରୀଙ୍କ ଦେଉଳ, ଉଚ୍ଚ ଇଂରାଜୀ ସ୍କୁଲ, ବିଜୁଳିବତୀ ଓ ଟୋଲ୍‌ ପ୍ରଭୃତି ପୃଥ୍ୱୀରାଜ ସିଂହ ମହାରାଜାଙ୍କ ଆଦେଶରେ ତିଆରି ହୋଇଥିଲା ।

 

ବର୍ତ୍ତମାନ ମହାରାଜା ରାଜେନ୍ଦ୍ରନାରାୟଣ ସିଂହ, ପାର୍କ, ରଞ୍ଜନରଶ୍ମି, ଚିକିତ୍ସାଳୟ, ଗବ୍ୟ ପ୍ରସ୍ତୁତିଶାଳା, ପଶୁ ଚିକିତ୍ସାଳୟ, ଧର୍ମଶାଳା ପ୍ରଭୃତି କରି ସହରର ବିବିଧ ଉନ୍ନତି ପ୍ରତି ଦୃଷ୍ଟି ଦେଉଅଛନ୍ତି ।

Image

 

ପୃଥ୍ୱୀରାଜ ଦେଓ

 

ଦଳଗଞ୍ଜନ ସିଂଙ୍କ ମୃତ୍ୟୁପରେ ପୃଥ୍ୱୀରାଜ ଦେଓଙ୍କ ଅଭିଷେକ ପାଟଣାଗଡ଼ରେ ଅନୁଷ୍ଠିତ ଦରବାରରେ ସମ୍ପାଦିତ ହୋଇଥିଲା ।

 

ପୃଥ୍ୱୀରାଜ ଦେଓ ରାଜତ୍ୱ ଆରମ୍ଭରୁ ସ୍ୱଦେଶପ୍ରେମିକତାର ପରିଚୟ ଦେଇଥିଲେ । ଜନ୍ମକଲା ବାପପରି ସେ ରାଜ୍ୟର ପ୍ରଜାଙ୍କର ହାରିଗୁହାରୀ ବୁଝୁଥିବାରୁ ଆଜି ତାଙ୍କର ମୂର୍ତ୍ତି ପ୍ରଜାକୁଳର ହୃଦୟରେ ଜୀବନ୍ତରୂପେ ଅଙ୍କିତ ରହିଅଛି ।

 

ସେ ଯିବା ଆସିବା ସୁବିଧା ପାଇଁ ରାଜ୍ୟର ଚାରିଆଡ଼େ ସଡ଼କ ପକାଇଲେ । ଡାକ ବଙ୍ଗଳା, ପୋଲିସ ଓ ସ୍କୁଲ ଘରମାନ ପକ୍‌କା କଲେ । କୃଷି ଉନ୍ନତି ପାଇଁ ସେ ପ୍ରତିବର୍ଷ କୃଷି ପ୍ରଦର୍ଶନୀ କରି ପ୍ରଜାଙ୍କୁ ଉତ୍କୃଷ୍ଟ ଫସଲ ଦେଖି ସାର୍ଟିଫିକେଟ ଅର୍ଥାତ୍‌ ପ୍ରଂଶସାପତ୍ର ଓ ପୁରସ୍କାରମାନ ଦେଉଥିଲେ । ଲୋକଙ୍କୁ ଗଛ ଲଗାଇବା ଓ ଫଳ ଫଳାଇବାର ପ୍ରଣାଳୀମାନ ଦେଖାଇବା ସେ ଆଦର୍ଶ-ବଗିଚା ସ୍ଥାପନ କରିଥିଲେ ।

 

ଶିକ୍ଷା ହିଁ ଦେଶ ଉନ୍ନତିର ପ୍ରଥମ ଓ ପ୍ରଧାନ ସୋପାନ ଜାଣି ସେ ରାଜ୍ୟ ମଧ୍ୟରେ ଶିକ୍ଷାର ଉନ୍ନତି ପାଇଁ ବିବିଧ ଯତ୍ନ କରିଥିଲେ । ତାଙ୍କ ସମୟରେ ସ୍କୁଲ ଓ ଛାତ୍ର ସଂଖ୍ୟା ବହୁତ ବଢ଼ି ଯାଇଥିଲା । ବଲାଙ୍ଗିରରେ ଥିବା ମି:ଇ: ସ୍କୁଲକୁ ସେ ନାନା ରାଜନୈତିକ ବାଧାସତ୍ତ୍ୱେ ହାଇସ୍କୁଲରେ ପରିଣତ କଲେ । ଷ୍ଟେଟର ପିଲାମାନେ କଲେଜରେ ପଢ଼ିବା ପାଇଁ ସେ ଅନେକ ଛାତ୍ରବୃତ୍ତର ବନ୍ଦୋବସ୍ତ କରିଥିଲେ । ନିଜର ପ୍ରଜାମାନଙ୍କଦ୍ୱାରା ଶାସନ କାର୍ଯ୍ୟ ଚଳାଇବା ସ୍ୱପ୍ନ ତାଙ୍କୁ ଯେତେ ଆନନ୍ଦ ଦେଉଥିଲା ଅନ୍ୟ କୌଣସି ବିଷୟ ସେତେ ଆନନ୍ଦ ଦେଉଥିଲା କି ନା ସନ୍ଦେହ । ସେ ଉଦ୍ଦେଶ୍ୟସାଧନ ପାଇଁ ଉପଯୁକ୍ତ ଛାତ୍ରଙ୍କୁ ବାଛି ଷ୍ଟେଟର ପ୍ରୟୋଜନୀୟ ପ୍ରତ୍ୟେକ ବିଭାଗ ଲାଗି ଟ୍ରେନିଂ ଓ ଉଚ୍ଚଶିକ୍ଷା ପାଇବାକୁ ବିଦେଶକୁ ପଠେଇଥିଲେ । ତାଙ୍କରି ମହତ୍‌ ଯତ୍ନର ଫଳରୁ ଆଜି ଷ୍ଟେଟର ପ୍ରତ୍ୟେକ ବିଭାଗରେ ଷ୍ଟେଟର ଲୋକମାନେ ରହି ପ୍ରଂଶସିତ ଭାବରେ ଶାସନ କାର୍ଯ୍ୟ ଚଳାଉ ଅଛନ୍ତି । ସଂସ୍କୃତ ଶିକ୍ଷାର ଉନ୍ନତି ପାଇଁ ସେ ବଲାଙ୍ଗିରରେ ଜର୍ଜ-ସଂସ୍କୃତ-ଟୋଲ ବସାଇଥିଲେ ।

 

ଲୋକସାଧାରଣ ଅବସରବିନୋଦନ ଓ ଜ୍ଞାନ ଆଲୋଚନାର ଉପଯୁକ୍ତ ସୁବିଧା ଓ ସୁଯୋଗ ପାଇବେ ବୋଲି ବହୁତ ଟଙ୍କା ଖର୍ଚ୍ଚକରି ସେ ବଲାଙ୍ଗିରରେ ପ୍ରକାଣ୍ଡ ସର୍ବସାଧାରଣ-କ୍ଳବ-ଘର ତିଆରି କରିଥିଲେ ।

 

ହରିଶଙ୍କର ମନ୍ଦିରର ଜୀର୍ଣ୍ଣ ସଂସ୍କାର, ସମଲେଶ୍ୱରୀ ମନ୍ଦିର ନିର୍ମାଣ ଆଦି ଅନେକ କାର୍ଯ୍ୟ ତାଙ୍କରି ଆଦେଶରେ ହୋଇଥିଲା ।

 

ରାଜ୍ୟର ଶାସନଗତ ସୁବିଧା ପାଇଁ ପାଟଣାଗଡ଼ ଓ ଟିଟିଲ୍ଲାଗଡ଼ରେ ଦୁଇଟି ସବ୍‌ଡ଼ିଭିଜନ ତାଙ୍କରି ଆଦେଶରେ ଖୋଲା ହେଲା । ରୋଗୀଙ୍କର ଉତ୍ତମ ଚିକିତ୍ସା ପାଇଁ ସେ ବଲାଙ୍ଗିରରେ ଓଡ଼ିଶା-ପ୍ରସିଦ୍ଧ ପ୍ରକାଣ୍ଡ ଡାକ୍ତରଖାନା ଖୋଲିଥିଲେ ।

 

ପ୍ରଜାକୁଳର ହିତପାଇଁ ଏତେ କାମ କରୁଥିଲେ ମଧ୍ୟ ତାଙ୍କ ନିଜ ସ୍ୱାସ୍ଥ୍ୟପ୍ରତି ସେ ଆଦୌ ଦୃଷ୍ଟି ଦେଉ ନଥିଲେ । ବୋଧହୁଏ ସେ ଭାବିଥିଲେ ତାଙ୍କ ଦେବଦୁର୍ଲ୍ଲଭ-ବିଶାଳ-ବପୁ ସମସ୍ତ ଅତ୍ୟାଚାର ସହିବ । ଦୈବ ଦୁର୍ବିପାକରୁ ସେ ଅତି ଅଳ୍ପ ବୟସରେ ପ୍ରାଣତ୍ୟାଗ କଲେ ।

 

କେତେକ ଲୋକ ସଂସାରରେ ନିଜର ବିଦ୍ୟାବତ୍ତା ଓ ଚରିତ୍ରବତ୍ତା ଆଦି ଭଲଗୁଣ ଲାଗି ପୂଜିତ ହୋଇଥାନ୍ତି, ଆଉ କେତେକ ଲୋକ ବିଦ୍ୟାବାନ୍, ଚରିତ୍ରବାନ୍‌ ଓ ଗୁଣବାନ୍‌ ଲୋକଙ୍କୁ ପରିଚୟ କରିପାରିବା ହେତୁ ଓ ପର ଦୁଃଖକୁ ଚିହ୍ନିପାରି: ତାହା ଦୂରକରି ପାରୁ ଥିବା ହେତୁରୁ ମାନବର ହୃଦୟ-ସିଂହାସନ ଅଧିକାର କରି ପାରିଥାଆନ୍ତି । ବିଦ୍ୟା ଓ ଚରିତ୍ରର ପ୍ରଭାବ ମନ ଉପରେ ଯେତେ ଦିନ ରହେ ମାନବ ହୃଦୟର ସ୍ନେହ, ଭକ୍ତି ଓ ପ୍ରେମ ତହିଁରୁ ଅଧିକ କାଳ ସ୍ଥାୟୀ ହୁଏ । ତେଣୁ ଆଜି ମଧ୍ୟ ପୃଥ୍ୱୀରାଜଙ୍କ କଥା ସ୍ମରଣ କରି ସହସ୍ର ସହସ୍ର ପାଟଣାବାସୀ ଶୋକାଶ୍ରୁ ବିସର୍ଜ୍ଜନ କରନ୍ତି ।

 

ପାଟଣାବାସୀଙ୍କ ହୃଦୟ-ରାଜ୍ୟରେ ପୃଥ୍ୱୀରାଜଙ୍କର ସ୍ଥାନ ସର୍ବଦା ଅଚଳ ଓ ଅଟଳ ।

Image

 

କବି ଗଙ୍ଗାଧର ମେହେର

 

ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ-ମଣ୍ଡିତ,

କାଳବଳେ ହେବେ ସର୍ବେ ଭବୁଁ ଅନ୍ତର୍ହିତ ।

କିନ୍ତୁ ତୁମ୍ଭେ ଦୀନ-କବି, ରହିବ ଜୀବିତ,

ଯେତେଦିନ ଥିବ ଭବେ ଓଡ଼ିଆ-ସାହିତ୍ୟ ।। (ପ୍ରଜାବନ୍ଧୁ)

 

ନନ୍ଦକିଶୋର ବଳ

 

ରମେଇ ଦେଓଙ୍କ ରାଜତ୍ୱ ସମୟରୁ ଏ ଅଞ୍ଚଳରେ ଭୁଲିଆ ବୋଲି ଗୋଟିଏ ଜାତିର ଲୋକ ବାସ କରୁଥିବା ଜଣାଯାଏ । ଏ ଭୁଲିଆ ଜାତିର ମୂଳ-ସ୍ଥାନ ପାଟଣାଗଡ଼ । ବଂଶ ବଢ଼ିବାରୁ ସେଠାରୁ ସେମାନେ ଯାଇ ଏ ଅଞ୍ଚଳଯାକ ବାସ କରି ଅଛନ୍ତି ।

 

ପ୍ରାୟ ତିନିଶହ ବର୍ଷ ପୂର୍ବେ କେତେକ ଭୁଲିଆ ଯାଇ ବରପାଲିରେ ରହିଲେ । ସେମାନଙ୍କ ମଧ୍ୟରେ ପଞ୍ଚଭାୟା ବୋଲି ଗୋଟିଏ ପରିବାରରେ ୧୮୬୨ ସାଲର ଅଗଷ୍ଟ ମାସରେ ଗଙ୍ଗାଧର ଜନ୍ମ ହୋଇଥିଲେ ।

 

ଭୁଲିଆମାନଙ୍କର ଜାତିଗତ ବ୍ୟବସାୟ ଲୁଗାବୁଣା । ଆଜିକାଲି ପାଟଣାଗଡ଼ର କେତେକ ଭୁଲିଆ ଯେପରି ମହାଜନୀ ବ୍ୟବସାୟ କରୁ ଅଛନ୍ତି, ସେହିପରି ଆଗେ ଏ ଜାତିର ଅନେକ ଲୋକ ମହାଜନୀ କାରବାର କରୁଥିବାରୁ ଏ ଜାତିର ଲୋକଙ୍କ ଉପାଧି ମେହେର ମହାଜନ ମଧ୍ୟ ଅଟେ ।

 

ଗଙ୍ଗାଧରଙ୍କ ପିତା ଚୈତନ୍ୟ ମେହେର ଲୁଗା ବୁଣି ସାମାନ୍ୟ ଭାବରେ ଜୀବନଯାପନ କରୁଥିଲେ ।

 

ବାଲ୍ୟ ଜୀବନରେ ଗଙ୍ଗାଧରଙ୍କ ସ୍ୱଭାବ ଅତୀବ ଧୀର ଓ ଶାନ୍ତ ଥିଲା । ଧର୍ମ ପ୍ରତି ତାଙ୍କର ଦୃଢ଼ ଅନୁରାଗ ଥିଲା । ଚାଟଶାଳୀ ପାଠ ଶେଷ କଲା ସମୟରେ ବରପାଲିରେ ସ୍କୁଲ ଖୋଲିବାରୁ ଗଙ୍ଗାଧର ସେଠାରେ ଷଷ୍ଠଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ତାଙ୍କର ପିତା ଦରିଦ୍ର ଥିବାରୁ ସ୍କୁଲରେ ପଢ଼ୁଥିବାବେଳେ ତାଙ୍କୁ ଓଳିଏ ଲେଖାଏଁ ଲୁଗାବୁଣି ପିତାଙ୍କୁ ସାହାଯ୍ୟ କରିବାକୁ ପଡ଼ୁଥିଲା-

 

ସ୍କୁଲ-ପଢ଼ା ସରିଲା ପରେ ଘରର ସବୁ ଜଞ୍ଜାଳ ଗଙ୍ଗାଧରଙ୍କୁ ବୁଝିବାକୁ ହୋଇଥିଲା । ଲୁଗାବୁଣାର ଉପାର୍ଜ୍ଜନ ଉପରେ ତାଙ୍କୁ କୁଟୁମ୍ବ ପ୍ରତିପୋଷଣ ପାଇଁ ନିର୍ଭର କରିବାକୁ ହେଊଥିଲା । ଏତେ ବାଧା ସତ୍ତ୍ୱେ ତାଙ୍କର ସାହିତ୍ୟଚର୍ଚ୍ଚା ଦିନକ ପାଇଁ ସୁଦ୍ଧା ବନ୍ଦ ହେଉ ନଥିଲା । ଲୁଗାବୁଣା ସଙ୍ଗେ ସଙ୍ଗେ ସାହିତ୍ୟଚର୍ଚ୍ଚା ମଧ୍ୟ ଚାଲିଥାଏ । ସଂସ୍କୃତ ଓ ଓଡ଼ିଆ ସାହିତ୍ୟର ସୁନ୍ଦର ସୁନ୍ଦର ପଦମାନ କଣ୍ଠସ୍ଥ କରି ଲୁଗାବୁଣା ସମୟରେ ଗାଇ ସେ ନିଜର ମନକୁ ଆନନ୍ଦିତ କରୁଥିଲେ।

 

ତାଙ୍କର ଏହିପରି ଭଲଗୁଣମାନ ଦେଖି ବରପାଲିର ଜମିଦାର ତାଙ୍କୁ ବନ୍ଦୋବସ୍ତ ବିଭାଗର ଏକ ସାମାନ୍ୟ ଚାକିରିରେ ନିଯୁକ୍ତ କରିଥିଲେ । ପରେ କବି ଜମିଦାରଙ୍କର ମୋହରୀର ବା ମୁନ୍‍ସୀ କାର୍ଯ୍ୟ ମଧ୍ୟ କରିଥିଲେ । ଏହା ସରକାରୀ କାର୍ଯ୍ୟ ଥିବାରୁ ତାଙ୍କୁ ସମ୍ବଲପୁର, ବିଜେପୁର ଓ ପଦ୍ମପୁରକୁ ବଦଳି ହୋଇଥିଲା । ଏହି ଚାକିରିରେ ଟ୧୫ରୁ ଆରମ୍ଭ କରି ଟ୩୫ ପର୍ଯ୍ୟନ୍ତ ବେତନ ବଢ଼ିଥିଲା । ଅବଶେଷରେ ୧୯୧୭ ସାଲରେ ସେ ପେନ୍‌ସନ ନେଇଥିଲେ ।

 

ପେନ୍‌ସନ ପାଇଲା ପରେ ପଦ୍ମପୁର ଜମିଦାର ରାଜେନ୍ଦ୍ରଲାଲ ବରିହା ତାଙ୍କୁ ଆଦର କରି ନିଜ ପାଖରେ ନେଇ ରଖିଲେ ଓ ନିଜ ରାଜଧାନୀ ପାଖର ଖଣ୍ଡେ ଗ୍ରାମ ତାଙ୍କୁ ପୁରୁଷାନୁକ୍ରମେ ଭୋଗ କରିବାକୁ ଦେଇଥିଲେ । କବିଙ୍କୁ ସମ୍ମାନ ଦେଖାଇ ଗୁଣଗ୍ରାହୀ ଜମିଦାର ଗୋଟିଏ ଗ୍ରାମର ନାମ କବିରପୁର ଦେଇଥିଲେ । ସେଠାରେ କବିଙ୍କ ସ୍ୱାସ୍ଥ୍ୟ ଭଲ ନରହିବା ଯୋଗୁଁ ସେ ନିଜର ଜନ୍ମଭୂମି ବରପାଲିକୁ ଫେରି ଆସିଲେ । ବରପାଲିର ବିଦ୍ୟାନୁରାଗୀ ଜମିଦାର ଲାଲବୀର ସୂର୍ଯ୍ୟୋଦୟ ସିଂହ ତାଙ୍କୁ ମାସିକ ଟ୩୦ ଲେଖାଏଁ ବେତନ ଦେଇ ନିଜ ପାଖରେ ରଖିଲେ । ଏ ସବୁ ଘଟଣା ଘଟିବାର ବହୁତ ଆଗରୁ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ତାଙ୍କୁ ବାମଣ୍ଡାରେ ବୃତ୍ତି ଦେଇ ନିଜ ପାଖରେ ରଖିବାକୁ ଇଚ୍ଛାପ୍ରକାଶ କରିଥିଲେ । କିନ୍ତୁ ସେ ଇଚ୍ଛା ପୂରଣ ହେବା ଆଗରୁ ତ୍ରିଭୁବନ ଦେବ ଇହଧାମ ତ୍ୟାଗ କରିଥିଲେ । ଏହିପରି ସାମାନ୍ୟ ଆୟରେ ନିଜ ପରିବାର ପୋଷଣ କରି ଗଙ୍ଗାଧର ଏକନିଷ୍ଠ ଭାବରେ ସାହିତ୍ୟ ସାଧନା କରୁଥିଲେ ।

 

ସ୍କୁଲ ଛାଡ଼ିଲା ପରେ ଗଙ୍ଗାଧରଙ୍କର କବିତା ଲେଖା ଆଡ଼କୁ ପ୍ରଗାଢ଼ ଆଗ୍ରହ ଜାତ ହୋଇଥିଲା । ‘ରସ ରତ୍ନାକର’’ ତାଙ୍କ ଲିଖିତ ପ୍ରଥମ କବିତା । ତା’ପରେ ସେ ‘‘ଅହଲ୍ୟା ସ୍ତବ’’ ଲେଖିଥିଲେ । ‘‘ଇନ୍ଦୁମତୀ’’ କାବ୍ୟ ଏହାପରେ ଲେଖା ହୋଇଥିଲା । କବିଗୁରୁ ରାଧାନାଥ ରାୟଙ୍କ ଦୃଷ୍ଟି ଏହି କାବ୍ୟ ଆକର୍ଷଣ କରି ପାରିଥିଲା । ସେ ଗଙ୍ଗାଧରଙ୍କୁ ବହୁତ ଉତ୍ସାହ ଦେଇଥିଲେ ଏବଂ ‘ଭାବ ଓ ଭାଷା ଦୃଷ୍ଟିରେ ମୁଁ ଏହାକୁ (ଇନ୍ଦୁମତୀ କାବ୍ୟକୁ) ଅଭିନବ ଓ ଉତ୍କୃଷ୍ଟ କାବ୍ୟରୂପେ ଗ୍ରହଣ କରିବାକୁ ତିଳେ ମାତ୍ର କୁଣ୍ଠିତ ନୁହେଁ’ ବୋଲି ଉଚ୍ଚ ମନ୍ତବ୍ୟ ପ୍ରକାଶ କରିଥିଲେ । ଏହାପରେ ‘‘ଉତ୍କଳ ଲକ୍ଷ୍ମୀ’’ ବ୍ରଜମୋହନ ପଣ୍ଡାଙ୍କଦ୍ୱାରା ପ୍ରକାଶିତ ହୋଇଥିଲା । ରାଧାନାଥ ଓ ବ୍ୟାସକବି ଫକୀରମୋହନ ଉଭୟେ ଏ କାବ୍ୟକୁ ଭାରି ପ୍ରଂଶସା କରିଥିଲେ । ଏ ଉତ୍ତାରୁ ‘‘ମହିମା’’ ଲିଖିତ ହୋଇଥିଲା । ଏ ସବୁ ତାଙ୍କ ଚାକିରି କଲା ପୂର୍ବରୁ ପ୍ରକାଶିତ ହୋଇ ସାରିଥିଲା ।

 

ସମ୍ବଲପୁରରେ କାର୍ଯ୍ୟ କଲାବେଳେ ‘‘କୀଚକ ବଧ’’ କାବ୍ୟ ମି. ମଧୁସୂଦନ ଦାସ, ସି: ଆଇ: ଇ: ପ୍ରକାଶ କରିଥିଲେ । ବିଜେପୁର ଅବସ୍ଥାନ କାଳରେ ‘‘ତପସ୍ୱିନୀ’’ କାବ୍ୟ ଲିଖିତ ହୋଇଥିଲା ଓ ରାମନାରାୟଣ ମିଶ୍ରଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ।

 

ପଦ୍ମପୁରରେ ପେନ୍‌ସନ୍‌ ନେଇ ଥିଲାବେଳେ କବି ନିଜ ରଚିତ ‘‘ପ୍ରଣୟାଙ୍କୁର’’କୁ ‘‘ପ୍ରଣୟବଲ୍ଲରୀ’’ ଆକାରରେ ଲେଖିଥିଲେ ଓ ପଦ୍ମପୁର ଜମିଦାର ରାଜେନ୍ଦ୍ରଲାଲ ବରିହାଙ୍କ ଆନୁକୂଲ୍ୟରେ ତାହା ପ୍ରକାଶ କରିଥିଲେ । ତା’ପରେ କବି ‘‘କବିତା କଲ୍ଲୋଳ’’ ‘‘ଅଯୋଧ୍ୟା ଦୃଶ୍ୟ’’ ଓ ‘‘ଅର୍ଘ୍ୟଥାଳୀ’’ ପ୍ରଭୃତି କାବ୍ୟ କବିତା ଲେଖିଥିଲେ । ‘‘କବିତା କଲ୍ଲୋଳ’’ ରାମନାରାୟଣ ମିଶ୍ର ‘‘ଅଯୋଧ୍ୟା ଦୃଶ୍ୟ’’ ଓ ‘‘ଅର୍ଘ୍ୟଥାଳୀ’’ ବାଳମୁକୁନ୍ଦ ବହିଦାର ଏବଂ ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଛପାଇ ଦେଇଥିଲେ ।

 

ତାଙ୍କ ରଚନା ଗୁଡ଼ିକର ଭାଷା ଏଡ଼େ ସରସ ଓ ସରଳ ଯେ ପାଠକ ସହଜେ ତହିଁରେ ମୁଗ୍‌ଧ ହୋଇଯାଏ । ବ୍ୟାସକବି ଫକୀର ମୋହନ ସେ ସମ୍ବନ୍ଧେ ଲେଖିଅଛନ୍ତି ।

 

ବରପାଲି ଦେଶେ ଅଛି ଗଙ୍ଗାଧର ମେହେର

ତାହାର କବିତା ପଢ଼ିଲିଣି ଢେର ଢେର ।

କବିତାଗୁଡ଼ିକ ପଢ଼ି ମନ ମାନିଯାଏ,

ଆଉ ସେ ଲେଖିବ କିଛି ବାଟ ଚାହିଁଥାଏ ।

 

ତାଙ୍କ ଲେଖା ଯେପରି ସରଳ, ମଧୁର ଓ ଉଚ୍ଚଭାବପୂର୍ଣ୍ଣ ତାଙ୍କର ଚରିତ୍ର ମଧ୍ୟ ସେହିପରି ସରଳ, ମଧୁର ଓ ଉଚ୍ଚଭାବପୂର୍ଣ୍ଣ ଥିଲା । ଦାରିଦ୍ର୍ୟ ସତ୍ତ୍ୱେ ସେ ସମୟର ଅନେକ ଧନୀ, ଜ୍ଞାନୀ ଓ ଉଚ୍ଚପଦସ୍ଥ ବ୍ୟକ୍ତି ତାଙ୍କୁ ସମ୍ମାନ ଦେଖାଉଥିଲେ ।

 

କବିଗୁରୁ ରାଧାନାଥ, ବ୍ୟାସକବି ଫକୀରମୋହନ, ନନ୍ଦକିଶୋର ବଳ ସାର ସୁଢ଼ଳ ଦେବ, ରାଜେନ୍ଦ୍ରଲାଲ ବରିହା ଓ ଅନ୍ୟାନ୍ୟ ଶତ ଶତ ବ୍ୟକ୍ତି ତାଙ୍କ କବିତ୍ୱ ଓ ଚରିତ୍ରରେ ମୁଗ୍‌ଧ ହୋଇ ତାଙ୍କୁ ନିଜଠାରୁ ଅଭିନ୍ନ କରି ଭାବୁଥିଲେ ।

 

ଶୁଣିଅଛି, ଦରିଦ୍ରତା କଠୋର ନିର୍ଘାତ,

ସହି କଷ୍ଟେ କବି ! ତୁମ୍ଭେ କର ଦିନପାତ ।

X X X

ଜନ୍ମିଥାନ୍ତ ଯେବେ ସଭ୍ୟ ଉନ୍ନତ ଦେଶରେ,

ବାଜୁଥାନ୍ତା ନାମ ତବ ଦିଗଦିଗନ୍ତରେ । (ପ୍ରଜାବନ୍ଧୁ)

 

ନନ୍ଦକିଶୋର ବଳଙ୍କ ଉଲ୍ଲିଖିତ ପଦାବଳୀ କବିଙ୍କ ପ୍ରତି ତାଙ୍କ ଧାରଣାର ଗଭୀର ପରିଚୟ ଦିଏ ।

 

ସେ ଏତେ ସମ୍ମାନ ପାଇଥିଲେ ମଧ୍ୟ ନିଜର ଜାତି ଓ ଜନ୍ମଭୂମିକି ଭୁଲିଯାଇ ନ ଥିଲେ । ବରପାଲିରେ ସେ ‘‘ସାଧୁ ସମିତି’’ ବୋଲି ଗୋଟିଏ ଲୋକହିତକର ଅନୁଷ୍ଠାନ ଗଢ଼ିଥିଲେ, ଆଉ ଭୁଲିଆ ଜାତିର ଉନ୍ନତି ପାଇଁ ଏକ ଜାତୀୟ ମହାସଭା ଡକାଇ ଅନେକ ଜାତିହିତକର ପ୍ରସ୍ତାବ ଧାର୍ଯ୍ୟ କରିଥିଲେ ।

 

ଗଙ୍କାଧର ଦରିଦ୍ରର ପୁଅ । ଆଜୀବନ ତାଙ୍କୁ ଭାତ ମୁଠାକ ପାଇଁ କାୟିକ କ୍ଳେଶ ସହିବାକୁ ପଡ଼ୁଥିଲା । ଦାରିଦ୍ର୍ୟହିଁ କେବଳ ତାଙ୍କ ଉଚ୍ଚଶିକ୍ଷା ଲାଭରେ ପ୍ରଧାନ ବାଧା ଦେଇଥିଲା । ତଥାପି ସୁଦ୍ଧା ଆଧୁନିକ ଉତ୍କଳ-ସାହିତ୍ୟ ଜଗତରେ ଗଙ୍ଗାଧରଙ୍କ ସ୍ଥାନ ଅତି ଉଚ୍ଚରେ ।

 

ପେଟଚିନ୍ତା ଅନେକ ସମୟରେ ତାଙ୍କର ମଧୁମୟୀ କଳ୍ପନାକୁ ଭସ୍ମ କରି ଦେଉଥିଲା । ଏପରି ଅବସ୍ଥାରେ ସୁଦ୍ଧା ତାଙ୍କ ଭାବପ୍ରବଣ ହୃଦୟର ପ୍ରବଳ ଭାବରାଶି ସେ ସମୟ ସମୟରେ ପ୍ରକାଶ କରି ପାରିଥିଲେ । ତାହା ଆଜି ତାଙ୍କୁ ଅମର କରି ରଖିଅଛି । ତାଙ୍କରି ଲାଗି ଏ ଅଞ୍ଚଳ ଆଜି ଉତ୍କଳ-ସାହିତ୍ୟ ଜଗତରେ ପରିଚିତ ।

 

ଦେଶ ଯଦି କବିଙ୍କୁ ଉଦରଚିନ୍ତାରୁ ମୁକ୍ତି ଦେଇ ପାରିଥାନ୍ତା ତାହାହେଲେ କବି ମୁକ୍ତ ବିହଙ୍ଗମ ପରି ନିଜ ହୃଦୟର ଭାବ ପ୍ରକାଶ କରି ଜଗତର ଆନନ୍ଦ ବଢ଼ାଇବାରେ ଆହୁରି ସୁଯୋଗ ପାଇ ପାରିଥାନ୍ତେ ।

 

ତାଙ୍କୁ ପାଇ କେବଳ ଏ ଅଞ୍ଚଳ କାହିଁକି ସାରା ଉତ୍କଳ ଧନ୍ୟ ହୋଇଅଛି ।

Image

 

ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ

 

ପ୍ରଜାତ୍ସଳ ପୃଥ୍ୱୀରାଜଙ୍କ ପାଟଣାକୁ ସର୍ବାପେକ୍ଷା ଅମୂଲ୍ୟ ଦାନ ରାଜେନ୍ଦ୍ର ନାରାୟଣ ।

 

ନିଜର ଔରସଜାତ ପୁତ୍ର ନଥିବାରୁ ପୃଥ୍ୱୀରାଜ ନିଜର ବୟୋଜ୍ୟୋଷ୍ଠ ଭ୍ରାତା ରାମଚନ୍ଦ୍ର ଦେଓ ମହାରାଜାଙ୍କ ଝିଅ ସଢ଼େଇକେଲା ମହାରାଣୀଙ୍କ ପୁତ୍ରଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ ।

 

ପିଲାଦିନରୁ ରାଜେନ୍ଦ୍ର ନାରାୟଣଙ୍କ ସଦ୍‌ଗୁଣ ସବୁର ପରିଚୟ ମିଳିଥିଲା । ତାଙ୍କର ମଧୁର ବ୍ୟବହାର, ଅଜ୍ଞାନୁବର୍ତ୍ତିତା ଓ ବୁଦ୍ଧି ବିଚକ୍ଷଣତା ପୃଥ୍ୱୀରାଜଙ୍କର ଆନନ୍ଦ ବୃଦ୍ଧି କରୁଥିଲା ।

 

୧୯୨୪ ସାଲରେ ପୃଥ୍ୱୀରାଜଙ୍କର ଆକସ୍ମିକ ମୃତ୍ୟୁପରେ ବାରବର୍ଷ ବୟସରେ ତାଙ୍କର ରାଜ୍ୟାଭିଷେକ କ୍ରିୟା ସମ୍ପାଦିତ ହେଲା । ତା’ପରେ ସେ ୧୯୨୯ ସାଲ ପର୍ଯ୍ୟନ୍ତ ଅଜମେର ମେଓ କଲେଜରେ ପାଠ ପଢ଼ିଥିଲେ । ଭାରତର ସମସ୍ତ ରାଜକୁମାର କଲେଜମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରି ୧୯୨୯ ସାଲରେ ସେ ଡିପ୍ଳୋମା ପରୀକ୍ଷାରେ ପାଶ୍‌ କରିଥିଲେ । ସେ କଲେଜରେ ଅଧ୍ୟକ୍ଷ ତାଙ୍କ ଚରିତ୍ର, ବୁଦ୍ଧିମତା ଓ ଅନ୍ୟାନ୍ୟ ଗୁଣ ଦେଖି କହିଥିଲେ ଯେ, ସେ ଚବିଶ ବର୍ଷ ମଧ୍ୟରେ ରାଜେନ୍ଦ୍ର ଯେତେ ଛାତ୍ରଙ୍କୁ ଶିକ୍ଷା ଦେଇ ଅଛନ୍ତି, ସେ ସମସ୍ତଙ୍କ ମଧ୍ୟରେ ରାଜେନ୍ଦ୍ର ସର୍ବଶ୍ରେଷ୍ଠ । ୧୯୩୧ ସାଲରେ ସେ ହଜାରିବାଗ କଲେଜ ଛାତ୍ରଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଆଇ.ଏ. ପାଶ୍‌ କରିଥିଲେ ।

 

୧୯୩୨ ସାଲ ଏପ୍ରିଲ ମାସରେ ପଟିଆଲା ମହାରାଜାଙ୍କର ଜେମାଙ୍କ ସହିତ ତାଙ୍କର ଶୁଭପରିଣୟ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

 

ଏହାପରେ ବିହାର ଓଡ଼ିଶାର ଗଭର୍ଣ୍ଣର ସାର ସିଫଟନ୍‌ ସାହେବ ୧୯୩୩ ସାଲରେ ଆସି ତାଙ୍କୁ ରାଜ୍ୟଭାର ଅର୍ପଣ କରିଥିଲେ ।

 

ସେ ଦିନଠାରୁ ରାଜ୍ୟର ବିବିଧ ଉନ୍ନତି ପ୍ରତି ତାଙ୍କର ଦୃଷ୍ଟି ପଡ଼ିଅଛି । ସେ ଦେଖିଲେ ଯେ ଖାଲି ଜଣେ ଦେଓ୍ୟାନଙ୍କ ପରାମର୍ଶ ଅପେକ୍ଷା ଆଉ କେତେଜଣଙ୍କ ପରାମର୍ଶରେ ରାଜ୍ୟର ଗୁରୁତର ବିଷୟମାନ ନିଷ୍ପତ୍ତି ହେଲେ ଶାସନ କାର୍ଯ୍ୟ ସୁସମ୍ପାଦିତ ହେବ । ତେଣୁ ସେ ତିନିଜଣ ମନ୍ତ୍ରୀଙ୍କ ଗଠିତ ଶାସନ ପରିଷଦ ବା ମନ୍ତ୍ରଣା ସଭା ସ୍ଥାପନ କଲେ । ମହାରାଜା ନିଜେ ସେହି ମନ୍ତ୍ରଣା ସଭାର ସଭାପତି ଥିବାରୁ ଶାସନ ସଂପର୍କୀୟ ଗୁରୁତର ବିଷୟମାନଙ୍କରେ ତିନିଜଣ ମନ୍ତ୍ରୀଙ୍କ ମିଳିତ ପରାମର୍ଶ ପାଇବାର ସୁବିଧା ହେଉଅଛି ।

 

ଏ ମନ୍ତ୍ରଣାସଭା ବା କେବିନେଟ୍‌ରେ ବର୍ତ୍ତମାନ ମେମ୍ବର ପ୍ରଧାନମନ୍ତ୍ରୀ ଲାଲା ରାଜ କନୁଆର, ଉନ୍ନତି ବିଭାଗ ମନ୍ତ୍ରୀ ଶ୍ରୀ ଗୋପାଳଚନ୍ଦ୍ର ଏବଂ ରାଜସ୍ୱ ବିଭାଗର ମନ୍ତ୍ରୀ ଶ୍ରୀ ଲକ୍ଷଣ ସାହାଣୀ ଅଟନ୍ତି । ଆଉ ତହିଁର କର୍ମସଚିବ ବା ସେକ୍ରେଟରୀ କୁମାର ରଣେନ୍ଦ୍ରପ୍ରତାପ ସିଂହ ଅଟନ୍ତି ।

 

ପ୍ରଜାମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ପ୍ରତି ମହାରାଜାଙ୍କର ସର୍ବଦା ତୀକ୍ଷ୍‌ଣ ଦୃଷ୍ଟି ଥାଏ । ତେଣୁ ସେ ଏକ୍‌ସରେ ବା ରଞ୍ଜନରଶ୍ମି ବିଭାଗ (ଆଖି ଡାକ୍ତରଖାନା) କୁଷ୍ଠବିଭାଗ, ପାଗଳ କୁକୁର ଓ କୁଲିହାଆଦିଙ୍କ କାମୁଡ଼ାର ଚିକିତ୍ସା ବିଭାଗ ଓ ପ୍ରସ୍ତୂତିଶାଳା ଖୋଲି ଅଛନ୍ତି । ଏହା ବାହାରେ ଆୟୁର୍ବେଦ ବିଭାଗ ଖୋଲାହେବା ଦ୍ୱାରା ରାଜ୍ୟବାସୀ ପ୍ରଜାଙ୍କର ବିଶେଷ ସୁବିଧା ହୋଇଅଛି । ଶିକ୍ଷା ଦେଶ ଉନ୍ନତିର ମୂଳ ଜାଣି ତାଙ୍କ ଯତ୍ନରେ ଅନେକ ଛାତ୍ର ବୃତ୍ତି ପାଇ ବିଭିନ୍ନ ବିଭାଗରେ ଉଚ୍ଚଶିକ୍ଷା ପାଇବା ପାଇଁ ଦେଶ ବିଦେଶକୁ ଯାଉଅଛନ୍ତି । ଉପଯୁକ୍ତ ଛାତ୍ର ବାଛିବା ପାଇଁ ବୃତ୍ତିନିର୍ବାଚନ ସଭା ବୋଲି ଗୋଟିଏ ସଭା ମଧ୍ୟ ସ୍ଥାପିତ ହୋଇଅଛି ।

 

ଗୋଧନ ପ୍ରଜାକୁଳର ପ୍ରକୃତ ଧନ ଜାଣି ତହିଁର ଉନ୍ନତିପାଇଁ ବଲାଙ୍ଗିରରେ ‘‘ଗବ୍ୟପ୍ରସ୍ତୁତି ଶାଳା’’ ଖୋଲା ଯାଇଅଛି । ସେଠାରେ ଗୋରୁର କିପରି ଯତ୍ନ ନିଆଯାଇ ପାରେ ତହିଁର ଆଦର୍ଶ ସମସ୍ତଙ୍କୁ ଦେଖାଇ ଦିଆଯାଉଅଛି । ସେ ସ୍ଥାନର ଦୁଗ୍‌ଧବତୀ ଗାଈ ଓ ହଳପାଇଁ ଉପଯୁକ୍ତ ବଳଦସଂଖ୍ୟା ଷ୍ଟେଟ ମଧ୍ୟରେ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଜାଙ୍କୁ ବିନାମୂଲ୍ୟରେ ଷଣ୍ଢ ବିତରଣ କରାଯାଉଅଛି । ଗାଈ, ବଳଦ ପ୍ରଭୃତି ପଶୁଙ୍କର ଚିକିତ୍ସାପାଇଁ ସୁବୃହତ୍‌ ନୂତନ ପଶୁ ଚିକିତ୍ସାଳୟ ନିର୍ମ୍ମିତ ହୋଇଅଛି ।

 

ଲୋକେ ନିଜ ପୂର୍ବପୁରୁଷମାନଙ୍କର କଥାସବୁ ଜାଣି ନିଜ ନିଜର ଦୋଷମାନ ଛାଡ଼ିବାକୁ ଯତ୍ନକରି, ସୁଗୁଣ ଦେଖି ଆତ୍ମପ୍ରତ୍ୟୟ ଅର୍ଜନ କରିପାରିବେ ବୋଲି ବଲାଙ୍ଗିରରେ ‘‘ପ୍ରତ୍ନତତ୍ୱ ବିଭାଗ’’ ଖୋଲା ଯାଇଅଛି । ଏ ବିଭାଗ ସଙ୍ଗେ ପ୍ରାଚୀନ ଶିଳ୍ପବସ୍ତୁ, ପ୍ରାଚୀନ ଗ୍ରନ୍ଥାଦିର ରକ୍ଷା ପାଇଁ ଗୋଟିଏ ‘‘ମିଉଜିୟମ’’ ମଧ୍ୟ ଖୋଲା ଯାଇଅଛି ।

 

ଆହୁରି ସମବାୟ ବିଭାଗ, କୋଶଳ ଉନ୍ନତି କମ୍ପାନୀ ଓ ଶିଳ୍ପ କମ୍ପାନୀ ତାଙ୍କ ପ୍ରଜାକୁଳର ବ୍ୟବସାୟିକ ଓ ଆର୍ଥିକ ଉନ୍ନତି ପ୍ରତି ପ୍ରଗାଢ଼ ଯତ୍ନ କରୁଥିବାର ପରିଚୟ ଦିଏ ।

 

ପ୍ରଜା ନିଜର ଦାୟିତ୍ୱ ଉପଯୁକ୍ତ ରୂପେ ଅନୁଭବ କରି ନିଜ ଉନ୍ନତିରେ ମନୋନିବେଶ କରିବେ ବୋଲି ସେ ପ୍ରଜାଙ୍କୁ ଜମି ଖରଦି ବିକ୍ରି ସତ୍ତ୍ୱ ଓ ଜମି ଉପରେ ଥିବା ଗଛର ବ୍ୟବହାର ସତ୍ତ୍ୱ ଦେଇଅଛନ୍ତି । ତା ବାହାରେ ଗ୍ରାମ୍ୟ ପଞ୍ଚାୟତ ଓ ବଲାଙ୍ଗିର ମ୍ୟୁନିସ୍‌ପାଲ୍‌ଟି ମଧ୍ୟ ଏ ଉଦ୍ଦେଶ୍ୟରେ ସ୍ଥାପିତ ହୋଇଅଛି ।

 

ଗ୍ରାମର ପଞ୍ଚାୟତମାନେ ରସଦ ପାଇଁ ଯେଉଁ ଶେସ୍‌ ବସିଛି ସେ ଟଙ୍କାକୁ ନିଜ ଇଚ୍ଛା ଅନୁସାରେ ଗ୍ରାମର ଉନ୍ନତି ପାଇଁ ଖର୍ଚ୍ଚ କରି ପାରିବେ ବୋଲି ଆଉ ଛୋଟିଆ ଛୋଟିଆ ମୋକଦ୍ଦମାମାନ ନିଷ୍କତ୍ତି କରି ପାରିବେ ବୋଲି ସେ ଆଦେଶ ଦେଇଅଛନ୍ତି ।

 

ଜଳକଷ୍ଟ ନିବାରଣ ପାଇଁ ପ୍ରତିବର୍ଷ ସରକାର ଅନେକ ବନ୍ଧ ଖୋଳାଉଅଛନ୍ତି, ଆଉ ମଧ୍ୟ ଜମି-ଉନ୍ନତି ପାଇଁ ବନ୍ଧ ଖୋଳାଇବାକୁ ପ୍ରଜାମାନଙ୍କୁ ଶହ ଶହ ଟଙ୍କା ଋଣ ଦେଉଅଛନ୍ତି । ପ୍ରଜମାନଙ୍କୁ କୃଷି-ସମ୍ବନ୍ଧରେ ଶିକ୍ଷା ଦେବା ପାଇଁ ବଲାଙ୍ଗିରରେ ‘କୃଷି ବିଭାଗ’ ଖୋଲିଅଛନ୍ତି ।

 

କାବ୍ୟ, କବିତା ଓ ନାଟକ ଲେଖକମାନେ ମହାରାଜାଙ୍କଠାରୁ ଯଥେଷ୍ଟ ସାହାଯ୍ୟ ପାଉଅଛନ୍ତି । ଏଥିରୁ ମହାରାଜାଙ୍କର ସାହିତ୍ୟ ରସିକତାର ମଧ୍ୟ ପରିଚୟ ମିଳେ ।

 

ରାଜ୍ୟବାସୀ ଲୋକଙ୍କର ଯେପରି ସବୁ ବିଷୟରେ ଉନ୍ନତି ହେବ ସେଥିପ୍ରତି ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ସର୍ବଦା ଜାଗ୍ରତ ।

 

ଭଗବାନ ତାଙ୍କୁ ଦୀର୍ଘ ଜୀବନ ଦିଅନ୍ତୁ ଯେପରି କି ତାଙ୍କର ପାଟଣାର ସର୍ବବିଧ ଉନ୍ନତି-ସ୍ୱପ୍ନ ପ୍ରକୃତରେ ସଫଳ ହେବ ।

Image